Categories: ଜାତୀୟ

ବାବ୍ରି ଭଙ୍ଗ ପରବର୍ତ୍ତୀ ସ୍ଥିତି ସମାଜରେ ସୃଷ୍ଟି ନହେଉ,ପୂଜାସ୍ଥଳ ଅଧିନିୟମ ସମର୍ଥନରେ ଏସ୍‌ସିଙ୍କ ଦ୍ୱାରସ୍ଥ ହେଲେ ମୁସଲମାନ ସଂଗଠନ…

ନୂଆଦିଲ୍ଲୀ,୧୪।୭ : ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ପ୍ଲେସ ଅଫ ଓ୍ବରଶିପ୍‌ ଆକ୍ଟ (ପୂଜାସ୍ଥଳ ଅଧିନିୟମ) କୁ ସମର୍ଥନ କରି ସୁପ୍ରିମକୋର୍ଟ(ଏସ୍‌ସି)ଙ୍କ ଦ୍ୱାରସ୍ଥ ହୋଇଛି। ଜାରି ରହିଥିବ ବିବାଦ ମଧ୍ୟରେ ସୁପ୍ରିମକୋର୍ଟରେ ଆବେଦନ କରି ବୋର୍ଡ ଏହି ଆଇନକୁ ସମର୍ଥନ କରିଛି ଏବଂ ଏହି ଆକ୍ଟ ବିରୋଧରେ ଦାଖଲ ହୋଇଥିବା ଆବେଦନଗୁଡ଼ିକର ପକ୍ଷଭୁକ୍ତ ହେବାକୁ ଚେଷ୍ଟା କରିଛି।

ବୋର୍ଡ ପକ୍ଷରୁ କୁହାଯାଇଛି ଯେ ବାବ୍ରି ଭାଙ୍ଗିବା ପରେ ସମାଜରେ ଯେପରି ଉତ୍ତେଜନା ଦେଖାଦେଇଥିଲା, ତାହା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଆଇନ ପ୍ରସ୍ତୁତ କରାଯାଇଥିଲା। ତେଣୁ ଏହି ନିୟମକୁ ରଦ୍ଦ କରାଯିବା ଉଚିତ ନୁହେଁ। ପୂଜାସ୍ଥଳ ଅଧିନିୟମ ବିରୋଧରେ ସୁପ୍ରିମକୋର୍ଟରେ ଇତି ମଧ୍ୟରେ ଆଠଟି ଆବେଦନ ଦାଖଲ କରାଯାଇଛି।

ନିକଟରେ ଦିଲ୍ଲୀର ଆଇନଜୀବୀ ଚନ୍ଦ୍ର ଶେଖରଙ୍କ ପକ୍ଷରୁ ପୂଜାସ୍ଥଳ ଅଧିନିୟମ ୧୯୯୧ କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଥିଲା। ଯେଉଁଥିରେ ଦର୍ଶାଯାଇଛି ଯେ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ନ୍ୟାୟିକ ସମୀକ୍ଷା ଅଧିକାରକୁ ଏହି ଆଇନ ବାରଣ କରୁଛି। ସମ୍ବିଧାନର ଧାରା ୧୩ ଅନୁଯାୟୀ ଦିଆଯାଇଥିବା କୋର୍ଟକୁ ଯିବାର ମୌଳିକ ଅଧିକାର ଆଇନର ଏଭଳି ବ୍ୟବସ୍ଥାଗୁଡ଼ିକ ଯୋଗୁ ନିଷ୍ପ୍ରଭାବୀ ହୋଇଯାଉଛି। ଏହି କାର୍ଯ୍ୟ ଅଧୀନରେ ସମାନତା, ଜୀବନ ଅଧିକାର ଏବଂ ଉପାସନା କରିବାର ଅଧିକାର ଉଲ୍ଲଂଘନ କରାଯାଇଛି।
ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସରକାର ୧୯୯୧ ରେ ପ୍ରଣୟନ କରିଥିଲେ। ଅଯୋଧ୍ୟା ରାମ ଜନ୍ମଭୂମି ଆନ୍ଦୋଳନର ବଢୁଥିବା ତୀବ୍ରତା ଏବଂ ଉଗ୍ରତାକୁ ଶାନ୍ତ କରିବା ଲାଗି ଏହି ଆଇନ ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସରକାର ଆଇନରେ ଏକ ବ୍ୟବସ୍ଥା କରିଛନ୍ତି ଯେ ଅଯୋଧ୍ୟାରେ ବାବ୍ରି ମସଜିଦ ବ୍ୟତୀତ ଦେଶର ଅନ୍ୟ କୌଣସି ସ୍ଥାନରେ ପୂଜାପାଠରେ ଅନ୍ୟ ଧର୍ମର ଲୋକଙ୍କ ଦାବିକୁ ଗ୍ରହଣ କରାଯିବ ନାହିଁ।

ଏହି ଆଇନରେ କୁହାଯାଇଛି ଯେ ଦେଶର ସ୍ବାଧୀନତା ଦିନ ଅର୍ଥାତ ୧୫ ଅଗଷ୍ଟ, ୧୯୪୭ରେ ଯେ କୌଣସି ଧାର୍ମିକସ୍ଥଳର ଥିବା ସ୍ଥିତିରେ ଗଠନ କିମ୍ବା ପୂଜାପାଠ ଉପରେ ଅନ୍ୟ ଧର୍ମର ଲୋକମାନେ ଦାବି କରି ପାରିବେ ନାହିଁ। ଅଯୋଧ୍ୟାର ବାବ୍ରି ମସଜିଦକୁ ଏହି ଆଇନରୁ ବାଦ ଦିଆଯାଇଥିଲା। କାରଣ ଏହି ବିବାଦ ସ୍ବାଧୀନତା ପୂର୍ବରୁ କୋର୍ଟରେ ବିଚାରଧୀନ ଥିଲା। ଏଥିରେ କୁହାଯାଇଛି ଯେ ୧୫ ଅଗଷ୍ଟ ୧୯୪୭ରେ ଥିବା ଧର୍ମସ୍ଥଳ ଯେଉଁ ସମ୍ପ୍ରଦାୟଙ୍କର ଅବା ଧାର୍ମିକ ସ୍ଥାନରେ ଥିଲା, ତାହା ଆଜି ମଧ୍ୟ ଏବଂ ଭବିଷ୍ୟତରେ ମଧ୍ୟ ସେଭଳି ରହିବ। ତେବେ ଏଥିରେ ପୂର୍ବରୁ ଚାଲିଥିବାରୁ ଅଯୋଧ୍ୟାର ଆଇନଗତ ବିବାଦକୁ ବାଦ ଦିଆଯାଇଥିଲା।

Share