Categories: ଜାତୀୟ

କୋଭିଡ ପରବର୍ତ୍ତୀ ଜଟିଳତା ବଢାଉଛି ଚିନ୍ତା

ଥିରୁଭାନନ୍ତପୁରମ୍‌,୨୯।୮: ଦେଶରେ କରୋନା ସଂଖ୍ୟା ପୁଣି ୪୫ ହଜାରରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂଖ୍ୟା ବୃଦ୍ଧି ଯୋଗୁ ଚିନ୍ତା ବଢାଇ ଦେଇଛି। କରୋନା ସଂକ୍ରମଣରେ କେରଳର ଅବସ୍ଥା ଅତ୍ୟନ୍ତ ଖରାପ। କେରଳରେ ଦୈନିକ ୩୦ ହଜାର ନୂଆ ମାମଲା ରୁଜୁ ହେଉଛି। ଏଠାରେ ଡେଲଟା ପ୍ଲସ ଭାରିଆଣ୍ଟ ମାମଲା ଅଧିକ ଆସୁଛି। ଏଠାରେ ପିଲାମାନେ ମଧ୍ୟ ଏହି ଡେଲଟା ପ୍ଲସ ଭାରିଆଣ୍ଟର ଶିକାର ହେଉଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଗତ ପାଞ୍ଚ ମାସ ମଧ୍ୟରେ କେରଳର ୩୦୦ରୁ ଅଧିକ ପିଲା ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ-ଇନ ଚିଲ୍‌ଡ୍ରେନ୍‌(ଏମ୍‌ଆଇଏସ-ସି) ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହା ଏକ ପ୍ରକାର କୋଭିଡ ପରବର୍ତ୍ତୀ ଜଟିଳତା, ଯେଉଁଥିରେ ଚାରି ପିଲାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହା ରାଜ୍ୟ ପାଇଁ ଏକ ନୂତନ ଚିନ୍ତା ଭାବରେ ଉଭା ହୋଇଛି।
କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ଅଭିଭାବକଙ୍କୁ ନିବେଦନ କରିଛନ୍ତି ଯେ, ଯଦି ସେମାନଙ୍କ ପିଲାମାନେ (ଏମ୍‌ଆଇଏସ-ସି) ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଖାନା ଯାଆନ୍ତୁ କିମ୍ବା ଡାକ୍ତରୀ ସାହାଯ୍ୟ ନିଅନ୍ତୁ। ଏହି ରୋଗ ଭଲ ହୋଇପାରିବ, କିନ୍ତୁ ଏହାକୁ ଅଣଦେଖା କଲେ ଏହା କଷ୍ଟସାଧ୍ୟ ହୋଇଯିବ ବୋଲି ସେ କହିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, କରୋନାରୁ ସୁସ୍ଥ ହେବାର ତିନି-ଚାରି ସପ୍ତାହ ପରେ ଜ୍ୱର, ପେଟ ଯନ୍ତ୍ରଣା, ନାଲି ଆଖି ଭଳି ଲକ୍ଷଣ ପିଲାମାନଙ୍କଠାରେ ଦେଖାଯାଉଛି। ଏମ୍‌ଆଇଏସ-ସି ଏକ ପୋଷ୍ଟ-କୋଭିଡ ରୋଗ ଅଟେ। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ସମସ୍ତ ରାଜ୍ୟ ଜନସଂଖ୍ୟାର ୧୦% ୧୮ ବର୍ଷରୁ କମ ବୟସର ପିଲାଙ୍କୁ ଅନ୍ତର୍ଭୁକ୍ତ କରୁଥିବାବେଳେ ଅଧିକାଂଶ ଏମ୍‌ଆଇଏସ-ସି ସଂକ୍ରମିତ ରୋଗ ୧୫ ବର୍ଷରୁ କମ ପିଲାମାନଙ୍କଠାରେ ଦେଖାଯାଇଛି। ଚଳିତ ବର୍ଷ ମାର୍ଚ୍ଚରେ ଥିରୁଭାନନ୍ତପୁରମର ସରକାରୀ ଡାକ୍ତରଖାନାରେ ଏମ୍‌ଆଇଏସ-ସି ର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା।

Share