Categories: ଜାତୀୟ

ଖୋଜାଚାଲିଛି ଦଳିତ ନାବାଳିକାଙ୍କ ମୃତ୍ୟୁର କାରଣ

ଉନ୍ନାଓ, ୧୮।୨ : ଉତ୍ତର ପ୍ରଦେଶର ଉନ୍ନାଓ ଜିଲାର କ୍ଷେତରେ ବୁଧବାର ସନ୍ଧ୍ୟାରେ ସନ୍ଦେହଜନକ ଅବସ୍ଥାରେ ମିଳିଥିବା ଦୁଇ ଦଳିତ ନାବାଳିକାଙ୍କ ମୃତ୍ୟୁ ପଛର କାରଣ ଖୋଜୁଛି ପୋଲିସ। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେମାନଙ୍କ ଶରୀରରେ କୌଣସି ଆଘାତର ଚିହ୍ନ ନାହିଁ। ବିଷକ୍ରିୟା କାରଣରୁ ଉଭୟ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ବୋଲି ଡିଜିପି ଏଚ୍‌.ସି. ଅଓ୍ବସ୍ଥୀ କହିଛନ୍ତି। ଦୁଇ ନାବାଳିକାଙ୍କ ମୃତ ଦେହ ପାଖରେ ମିଳିଥିବା ଅନ୍ୟ ଜଣେ ନାବାଳିକାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ କାନପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ଘଟଣା ଗୁରୁତର ନେବା ସହିତ ଡିଜିପିଙ୍କ ଠାରୁ ସମ୍ପୂର୍ଣ୍ଣ ରପୋର୍ଟ ମାଗିଛନ୍ତି। ଉଲ୍ଲେଖଥାଉ କି, କ୍ଷେତକୁ ଶସ୍ୟ ଆଣିବାକୁ ଯାଇଥିବା ୧୩ ଓ ୧୬ ବର୍ଷୀୟା ନାବାଳିକା ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାରବର୍ଗ ଖୋଜାଖୋଜି କରିଥିଲେ। ଦୁହିଁଙ୍କୁ କ୍ଷେତରେ ଠାବ କରିଥିଲେ ପରିବାର ଲୋକେ। ସେମାନଙ୍କ ମୁହଁରୁ ଫେଣ ବାହାରୁ ଥିବା ଦେଖି ପୋଲିସକୁ ଖବର ଦିଆଯାଇଥିଲା।

Share