Categories: ଜାତୀୟ

ଶୋଭାବର୍ଦ୍ଧକ ଅବା ରାଜନୈତିକ ନୁହେଁ ରାଜ୍ୟପାଳଙ୍କ ପଦବୀ, କହିଲେ ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୧୮।୭ : ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ପ୍ରାୟ ଏକ ମାସ ପୂର୍ବରୁ ରାଜ୍ୟପାଳମାନଙ୍କୁ ରାଜ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟପାଳଙ୍କ ପଦବୀ ଶୋଭାବର୍ଦ୍ଧକ ଅବା ରାଜନୈତିକ ପଦବୀ ନୁହେଁ। ତାଙ୍କ କାର୍ଯ୍ୟାଳୟରୁ ଜାରି ବିବୃତ୍ତିରେ ଉପରାଷ୍ଟ୍ରପତି ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି ଯେ ସରକାରଙ୍କ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ କାର୍ଯ୍ୟକ୍ରମଗୁଡିକ ରାଜ୍ୟଗୁଡିକରେ ଠିକ ଭାବରେ କାର୍ଯ୍ୟକାରୀ କରିବା ଧାରାକୁ ସେମାନେ ସୁନିଶ୍ଚିତ କରନ୍ତୁ । ତାଙ୍କ ଆଚରଣ ଦ୍ୱାରା ରାଜ୍ୟ ପ୍ରଶାସନ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ଉଚିତ ବୋଲି ଉପରାଷ୍ଟ୍ରପତି କହିଛନ୍ତି।

ନାଇଡୁ ରାଜ୍ୟପାଳମାନଙ୍କୁ ସେମାନଙ୍କ ରାଜ୍ୟରେ ଯଥାସମ୍ଭବ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ କୁଳପତିଙ୍କ ଭୂମିକାରେ ଛାତ୍ର ଓ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ କଥା ହୁଅନ୍ତୁ। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଯକ୍ଷ୍ମା ବିଲୋପ ତଥା ଅନ୍ୟାନ୍ୟ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟରେ ରାଜ୍ୟପାଳମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇପାରିବେ ବୋଲି ସେ ମତ ଦେଇଛନ୍ତି।

ଟିକାକରଣ କଭରେଜର ଉଦାହରଣ ଦେଇ ନାଇଡୁ ବର୍ଣ୍ଣନା କରିଛନ୍ତି ଯେ ଟିକାକରଣ ପ୍ରୋତ୍ସାହନ କିପରି ସକରାତ୍ମକ ଫଳାଫଳ ଦେଇଛି ତାହା ଗୁରୁତ୍ୱପୂର୍ଣ୍ଣ। ଭାରତରେ ଏହାଯୋଗୁ ମୃତ୍ୟୁହାର ହ୍ରାସ ପାଇଛି। ରାଜ୍ୟପାଳ ବିଭିନ୍ନ ଟୀକାକରଣ ଅଭିଯାନରେ ଅଂଶଗ୍ରହଣ କରିବା ଉଚିତ ଏବଂ ଲୋକମାନଙ୍କ ସହିତ ଯୋଗାଯୋଗରେ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଉପରେ ଗୁରୁତ୍ୱ ଦେବା ଉପରେ ସେ ପରାମର୍ଶ ଦେଇଛନ୍ତି।

Share