Categories: ଫୁରସତ

୧୬ କୋଟିରେ ଡାକ ଟିକେଟ ନିଲାମ

ନ୍ୟୁୟର୍କ: ବେଳେବେଳେ ଏକ ଛୋଟ ଜିନିଷ ବି ବେଶ୍‌ ଅମୂଲ୍ୟ ହୋଇଯାଏ। ସାଧାରଣତଃ ଡାକ ଟିକେଟର ମୂଲ୍ୟ ୫ରୁ ଆରମ୍ଭ ହୋଇ ୧୦୦ ଟଙ୍କା ଭିତରେ ହୋଇଥାଏ। ହେଲେ ନିକଟରେ ଏକ ଡାକ ଟିକେଟ ୧୬ କୋଟି ଟଙ୍କାରେ ନିଲାମ ହୋଇଥିବା ଜଣାପଡ଼ିଛି। ଟିକେଟ ଛପାରେ କିଛି ଗଡ଼ବଡ଼ ହେବା କାରଣରୁ ଏହାର ମୂଲ୍ୟ ଏତେ ହୋଇଛି। ୧୯୧୮ ମସିହାର ଏକ ଆମେରିକା ଡାକ ଟିକେଟ ଥିଲା, ଯାହାର ବ୍ୟବହାର ବିଶ୍ୱର ପ୍ରଥମ ନିୟମିତ ରୂପରେ ସରକାରୀ ଏୟାରମେଲ୍‌ ସେବାର ଟିକେଟ ପାଇଁ କରାଯାଇଥିଲା। ଟିକେଟରେ ସାଧାରଣତଃ ଏକ ‘ଜେନି’ କର୍ଟିସ୍‌ ବାଇପଲେନ୍‌କୁ ଉପରକୁ ଦିଗ କରାଇ ରଖାଯାଇଛି। ହେଲେ ଛପା ଦାୟିତ୍ୱରେ ଥିବା ଲୋକେ ସେହି ଚିତ୍ରକୁ ଓଲଟା ଛାପି ଦେଇଥିଲେ। ଏହାପରେ ଯାହା ଚିତ୍ର ହେଲା, ତାହା ‘ଇନ୍‌ଭର୍ଟେଡ୍‌ ଜେନି’ର ଥିଲା। ‘ଇନ୍‌ଭର୍ଟେଡ୍‌ ଜେନି’ ଗୋଟେ ୧୦୦ ପିସ୍‌ ଥିବା ସିଟ୍‌ ପୂର୍ବରୁ ବିକ୍ରି ହୋଇଥିଲା, ହେଲେ ଏହାର ଏକ ଭୁଲ୍‌ ଧରାପଡ଼ିବା ପରେ ଏହି ଟିକେଟର ମୂଲ୍ୟ ବଢ଼ିଯାଇଛି। ନ୍ୟୁୟର୍କର ସିଇଗଲ୍‌ ଅକ୍‌ଶନ ଗ୍ୟାଲେରିସ୍‌ର ଅଧ୍ୟକ୍ଷ ସ୍କଟ ତ୍ରିପେଲ୍‌ଙ୍କ କହିବା ଅନୁସାରେ, ଏହା ‘ଷ୍ଟାମ୍ପ୍‌ ସଂଗ୍ରହର ପ୍ରତୀକ’ ହୋଇଥିବାରୁ ଅତ୍ୟନ୍ତ ଖାସ୍‌ ଏବଂ ମହଙ୍ଗା ମଧ୍ୟ। ୧୯୧୮ ମସିହାରେ ସେହି ବିମାନ ବିଶେଷ ଭାବେ ଏତେ ଖାସ୍‌ ନ ଥିଲା। ସେତେବେଳେ ବହୁତ ଲୋକ ମଧ୍ୟ ସେହି ବିମାନ କିପରି ଦେଖାଯାଏ ତାହା ଜାଣି ନ ଥିଲେ। ସେଥିପାଇଁ ଟିକେଟର ଓଲଟା ଫଟୋ ଲୋକଙ୍କ ନଜରକୁ ଆସି ନ ଥିଲା ବୋଲି ତ୍ରିପେଲ୍‌ କହିଛନ୍ତି। ଡାକଘର କିରାଣିଙ୍କୁ ପଚାରିବାରେ, ସେ ସେତେବେଳେ ବିମାନକୁ ଦେଖି ନ ଥିଲେ। ସେଥିପାଇଁ ଟିକେଟ ବିକିବା ସମୟରେ ସେ ଜାଣିପାରି ନ ଥିଲେ।

Share