ଡାକ କର୍ମଚାରୀଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବି

କଟକ ସଦର,୧୭।୫(ଡି.ଏନ୍‌.ଏ.): ଓଡ଼ିଶା ସରକାର ନିକଟରେ ବ୍ୟାଙ୍କ, ବୀମା ଓ ରେଲଓ୍ବେ କର୍ମଚାରୀଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ହେଲେ ସହର, ଗଁାରେ ଘର ଘର ବୁଲି ଡାକସେବା ଯୋଗାଉଥିବା କ୍ଷେତ୍ରୀୟ କର୍ମଚାରୀଙ୍କୁ ଏହି ସୁବିଧା ମିଳିନାହିଁ ବୋଲି ନ୍ୟାଶନାଲ ଫେଡେରେଶନ ଗ୍ରାମୀଣ ଡାକ ସେବକ ସଂଘର ସହକାରୀ ସମ୍ପାଦକ ବିଜୟ କୁମାର ଷଡ଼ଙ୍ଗୀ କହିଛନ୍ତି। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ଡାକଘରେ ଚିଠି ବାଣ୍ଟିବା, ଡାକ ପରିବହନ ଓ ଗ୍ରହଣ କରିବା ଦାୟିତ୍ୱ ବିଭାଗୀୟ କର୍ମଚାରୀ ତୁଲାଉଛନ୍ତି। ଚିଠି ଦେବା ମଧ୍ୟରେ କେତେ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି ଏହି କର୍ମଚାରୀମାନେ। ତେଣୁ ଡାକ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେବାର ଆଶଙ୍କା ରହୁଛି। ଏଥିପାଇଁ ସେମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ ସଂଘ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି। ଘର ଘର ବୁଲି ଚିଠି ବଣ୍ଟନ ଦାୟିତ୍ୱରେ ଗ୍ରାମୀଣ ଡାକ ସେବକମାନେ ନିୟୋଜିତ ରହୁଛନ୍ତି। ଅନ୍ୟପଟେ ଏମାନେ ସ୍ଥାୟୀ ବିଭାଗୀୟ କର୍ମଚାରୀଙ୍କ ଭଳି ସବୁ ସୁବିଧା ପାଉନାହାନ୍ତି। ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଷଡ଼ଙ୍ଗୀ ନିବେଦନ କରିଛନ୍ତି।

Share