Categories: ଜାତୀୟ

ଅପହୃତାଙ୍କୁ ପରିବାର ସହ ଭେଟାଇଲା ପୋଷ୍ଟର

ମୁମ୍ବାଇ,୮।୮: ୨୦୧୯ ଜାନୁୟାରୀ ୨୨ ସକାଳେ ମୁମ୍ବାଇ ଅନ୍ଧେରୀ ଅଞ୍ଚଳର ପୂଜା ନାମ୍ନୀ ଜଣେ ୭ ବର୍ଷର ବାଳିକା ତାଙ୍କ ଭାଇ ସହ ସ୍କୁଲ୍‌ ଯାଉଥିବାବେଳେ ଅପହୃତ ହୋଇଯାଇଥିଲେ। ହେନରି ଜୋସେଫ୍‌ ଡି’ସୌଜା ନାମକ ଯୁବକ ତାଙ୍କୁ ଆଇସ୍‌କ୍ରିମ୍‌ ଦେବାକୁ କହି ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ପୋଲିସ ଏବେ ହେନରିଙ୍କୁ ଗିରଫ କରିଛି। ସେ ଓ ତାଙ୍କ ସ୍ତ୍ରୀଙ୍କର କୌଣସି ପିଲା ନ ଥିବାରୁ ପୂଜାଙ୍କୁ ଅପହରଣ କରିନେଇଥିବା ହେନରି ପୋଲିସ ନିକଟରେ ସ୍ବୀକାର କରିଛନ୍ତି।
ହେନରି ପୂଜାଙ୍କ ନାଁ ଆନି ଡି’ସୌଜା ରଖି ତାଙ୍କୁ ଯେପରି କେହି ଚିହ୍ନି ନ ପାରିବେ ସେଥିପାଇଁ କର୍ନାଟକର ଏକ ହଷ୍ଟେଲକୁ ପଠାଇ ଦେଇଥିଲେ। ପରେ ହେନରି ଦମ୍ପତିଙ୍କର ଏକ ପିଲା ହେବାରୁ ସେମାନେ ପୂଜାଙ୍କୁ ଘରକୁ ଫେରାଇଆଣି ସମସ୍ତ ଘରକାମ କରାଉଥିଲେ। ଏବେ ୧୬ ବର୍ଷରେ ପହଞ୍ଚତ୍ଥିବା ପୂଜା ତାଙ୍କ ପରିବାର ସଦସ୍ୟଙ୍କ ସମ୍ପର୍କରେ କିଛି ମନେ ରଖି ନ ଥିଲେ। ତେବେ ଦିନେ ହେନରି ନିଶାସକ୍ତ ଅବସ୍ଥାରେ ପୂଜାଙ୍କୁ ତାଙ୍କ ନିଜ ଝିଅ ନୁହନ୍ତି କହିବା ପରେ ସେ ଅତୀତ ସମ୍ପର୍କରେ ଜାଣିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଇଣ୍ଟରନେଟରେ ‘ପୂଜା ମିସିଂ’ ସମ୍ପର୍କରେ ଖୋଜୁଥିବାବେଳେ ୨୦୧୩ର ଏକ ନିଖୋଜ ପୋଷ୍ଟର ପାଇଥିଲେ। ଉକ୍ତ ପୋଷ୍ଟରରେ ୫ଟି ଫୋନ୍‌ ନମ୍ବର ଥିବାବେଳେ ସେଥିରୁ ଗୋଟିଏ ତାଙ୍କ ପରିବାରର ପଡୋଶୀ ରଫିକ୍‌ଙ୍କ ଘରେ ଲାଗିଥିଲା। ପୂଜା ନିଜ ସମ୍ପର୍କରେ ସବୁ କଥା କହିବା ସହ ଭିଡିଓ କଲ୍‌ କରି ନିଜକୁ ପରିଚିତ କରାଇଥିଲେ। ରଫିକ୍‌ ପୂଜାଙ୍କୁ ତାଙ୍କ ମାଆ ସହ ଫୋନ୍‌ରେ କଥା କରାଇଥିଲେ। ମାଆ ନିଜ ଝିଅଙ୍କୁ ମୋବାଇଲ୍‌ ଫୋନ୍‌ ସ୍କ୍ରିନ୍‌ରେ ଦେଖିବା ମାତ୍ରେ ଉଭୟ କାନ୍ଦିଥିଲେ। ପୋଲିସ ପୂଜାଙ୍କୁ ତାଙ୍କ ଘରକୁ ଫେରାଇ ନେଇଛି।

Share