ଓଡ଼ିଶା ସୀମାନ୍ତରେ ଲାଗିଲା ପୋଷ୍ଟର

ରାଉରକେଲା, ୨୯।୭(ସଙ୍ଗୀତା ଜେନା): ଜୁଲାଇ ୨୮ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ ପାଇଁ ଡାକରା ଦେଇଛନ୍ତି। ଏଥିପାଇଁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ଗୁଡ଼ିକରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ଏଥିଯୋଗୁ ଉଭୟ ରାଜ୍ୟକୁ ବସ୍‌ସେବା କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସୀମାରେ ଯାନବାହନକୁ କଡ଼ା ଯାଞ୍ଚ କରାଯାଉଛି। ସେହିପରି ଓଡ଼ିଶା ସୀମାନ୍ତ ମନୋହରପୁର ଅଞ୍ଚଳରେ ଶୁକ୍ରବାର ସକାଳେ ମାଓବାଦୀ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଓଡ଼ିଶାର ବିଶ୍ରା ବ୍ଲକ ସଂଲଗ୍ନ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଅଞ୍ଚଳ ଶାନ୍ତିଶୃଙ୍ଖଳାରେ ଥିବାବେଳେ ପଶ୍ଚିମ ସିଂହଭୂମ ମନୋହରପୁର ପ୍ରଖଣ୍ଡ ମୁଖ୍ୟାଳୟ ନିକଟରେ ମାଓବାଦୀମାନେ ପୋଷ୍ଟର ଲଗାଇ ଦିବଂଗତ ମାଓବାଦୀ ନେତାମାନଙ୍କ ଉଦ୍ଦେଶ୍ୟରେ ଶହୀଦ ସପ୍ତାହ ପାଳନ କରୁଛନ୍ତି। ସେହିପରି ମାଓବାଦୀ ସଙ୍ଗଠନ ପକ୍ଷରୁ ମନୋହରପୁର ଥାନା ଅଞ୍ଚଳର ଅନେକ ସ୍ଥାନରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖାଯାଇଛି। ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାବଳ କରୁଥିବା ମାଓବାଦୀ ଦମନ କାର୍ଯ୍ୟରୁ ଓହରିଯିବାକୁ ପୋଷ୍ଟରରେ କୁହାଯାଇଛି। ଏଥିପାଇଁ ସୀମାନ୍ତ ଭାଲୁଲତା, ଜରେଇକେଲା, ମନୋହରପୁର, ଗୁଆ, ଜାମଦା, ଟୋବୋ ଘାଟି, ଡଙ୍ଗାପୋଷି, ସୋନୁଆ, ଗୋଇଲକେରା ଆଦି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ମାଓବାଦୀମାନେ ବସ୍‌ ରୁଟ ଅପେକ୍ଷା ଟ୍ରେନ ରୁଟ୍‌କୁ କ୍ଷତି କରିବାକୁ ଅଧିକ ପ୍ରୟାସ କରନ୍ତି। ଏ ସମ୍ପର୍କରେ ବିଶ୍ରା ଥାନା ଅଧିକାରୀ ଭଗବାନ ପୂଜାରୀ କହିଛନ୍ତି, ମାଓବାଦୀମାନେ ଶହୀଦ ସପ୍ତାହ ପାଳନ ଡାକରା ଦେଇଛନ୍ତି। ଏଥିପାଇଁ ଓଡ଼ିଶା ପୋଲିସ ସଜାଗ ରହିଛି। ଏପର୍ଯ୍ୟନ୍ତ କୌଣସି ମାମଲା ସାମ୍ନାକୁ ଆସିନାହିଁ। ଆନ୍ତଃରାଜ୍ୟ ବସ ଚଳାଚଳ କରୁଛି ବୋଲି ପୂଜାରୀ କହିଥିଲେ।
ସୂଚନାଯୋଗ୍ୟ, ସୀମାନ୍ତ ଦେଇ ପ୍ରତ୍ୟେକ ଦିନ ରାଉରକେଲାରୁ ଝାଡ଼ଖଣ୍ଡ ଗୁମଲା, ରାଞ୍ଚତ୍, ସିମଡ଼େଗା, କୁଡ଼ୁ, ଲାତେହାର, ଗୟା ଓ ଅନ୍ୟ ଅଞ୍ଚଳକୁ ୬୦ରୁ ଊର୍ଦ୍ଧ୍ୱ ବସ୍‌ ଚଳାଚଳ କରୁଛି। ସେହିପରି ସିଆରପିଏଫ, ସୁରକ୍ଷା ବଳ ମିଳିତ ଭାବେ ଗତ ୬ମାସରୁ ମାଓବାଦୀ ଦମନ ଅପରେଶନ ଜାରି ରଖିଛନ୍ତି। ଏଥିରେ ମାଓବାଦୀମାନେ ଉତ୍ତ୍ୟକ୍ତ ହୋଇ ବିଭିନ୍ନ ସମୟରେ ଆଇଇଡ଼ି ଖଞ୍ଜତ୍ବା ସହ ବିସ୍ଫୋରକ ଲଗାଇ ଆକ୍ରମଣ କରୁଛନ୍ତି।