ପୋଷ୍ଟର ବ୍ୟାନର, ପଦଯାତ୍ରା, ଶୋଭାଯାତ୍ରାକୁ ମନା

ମାଲକାନଗିରି, ୨୬।୧ (ଡି.ଏନ.ଏ.) – ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ନେଇ ମଙ୍ଗଳବାର ଏକ ବୈଠକ ଜିଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନିର୍ବାଚନର ବିଭିନ୍ନ ନୀତିନିୟମ ସମ୍ପର୍କରେ ସୂଚାଇ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିଶନରଙ୍କ ସାଧାରଣ ପର୍ଯ୍ୟବେକ୍ଷକ ରଘୁମଣି ଗମାଙ୍ଗ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେ କୋଭିଡ୍‌ ନିୟମାବଳୀ ସହ ନିର୍ବାଚନର ଆଦର୍ଶ ଆଚରଣ ବିଧିକୁ ସମସ୍ତେ ଠିକ୍‌ ରୂପେ ଅନୁପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲାପାଳ ସିଂ ସର୍ବସାଧାରଣ ସ୍ଥାନରେ ପୋଷ୍ଟର ବ୍ୟାନର ଇତ୍ୟାଦି ନ ଲଗାଇବା, ପଦଯାତ୍ରା, ଶୋଭାଯାତ୍ରା ନ କରିବା ପାଇଁ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ। ବୈଠକରେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଲମୁକୁନ୍ଦ ଭୂୟାଁ , ଉପଜିଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲା ପଞ୍ଚାୟତ ଅଧିକାରୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।