ଅକ୍ଷୟ କୁମାର ମିଶ୍ର
ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଉଷ୍ମତା ବେଶ୍ ପ୍ରଖର ହେବାରେ ଲାଗିଲାଣି। ସୀମିତ ସାଥୀ ସମର୍ଥକଙ୍କୁ ସାଙ୍ଗରେ ଧରି ପ୍ରାର୍ଥୀମାନେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। କାନ୍ଥବାଡ଼ ସବୁଠି ବ୍ୟାନର ଓ ପୋଷ୍ଟର ଛାଇ ହୋଇଗଲାଣି। ପ୍ରତିଶ୍ରୁତି ଭିତରେ ଭୋଟ ଗ୍ରହଣ ସରିବ। ତା’ପରେ ନୂଆ ନିୟମ ଅନୁଯାୟୀ ଭୋଟ ଗଣନା ହେବ। ପ୍ରଥମକରି ଭୋଟ ଦାନ କେନ୍ଦ୍ରରେ ସେହିଦିନ ଭୋଟ ଗଣତି ନ ହୋଇ ରାଜ୍ୟତମାମ ଗୋଟିଏ ଦିନ ଗଣନା କରାଯାଇ ଫଳ ପ୍ରକାଶ ପାଇବ। ତା’ପରେ ପଞ୍ଚାୟତ ସମିତି ଓ ଜିଲା ପରିଷଦ ଗଠନ ସରିବ।
ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ପଞ୍ଚାୟତିରାଜର ଭୂମିକା ଯେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଏଥିରେ କେହି ଅସ୍ବୀକାର କରିପାରିବେ ନାହିଁ। ସେହି ଦୃଷ୍ଟିରୁ ବୋଧହୁଏ ରାଜ୍ୟ ନିର୍ବାଚନ ଆୟୋଗ ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିର୍ବାଚନ କରେଇବା ନିଷ୍ପତ୍ତି ଗ୍ରହଣ କରିଛନ୍ତି। କରୋନା ସଂକ୍ରମଣ ସମୟରେ ଆରମ୍ଭ ହୋଇଛି ଏପ୍ରକାର ଗଣତାନ୍ତ୍ରିକ ମହାମିଳନ। ଅବଶ୍ୟ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନର କିଛି ପ୍ରାବଧାନ ଜାରି କରିଛନ୍ତି। ସଭା ଶୋଭାଯାତ୍ରାକୁ ନିଷିଦ୍ଧ କରିଛନ୍ତି। ଏହା ନିଶ୍ଚିତ ସ୍ବାଗତଯୋଗ୍ୟ। କିନ୍ତୁ ଗ୍ରାମାଞ୍ଚଳରେ କିଛି ବେଦନାଦାୟକ ଦୃଶ୍ୟ ମୋତେ ଗଭୀର ଭାବେ କ୍ଷତାକ୍ତ କରିଛି। ମନରେ ଜାତ ଅସନ୍ତୋଷକୁ ସମ୍ବରଣ କରି ନ ପାରି ଏଭଳି ଏକ ଆଲେଖ୍ୟ ଲେଖିବାକୁ ବାଧ୍ୟ ହେଲି ।
କଥାଟି ହେଲା କିଏ ଅବା ନ ଜାଣିଛି ମାନବ ସମ୍ବଳ ବିକାଶର ଅସଲ ଚାବିକାଠିଟି ଶିକ୍ଷା ନିକଟରେ ଅଛି ବୋଲି। ସଭାସମିତି, ଆଲୋଚନା ପର୍ଯ୍ୟାଲୋଚନା ସବୁଠି ଶିକ୍ଷା ଉପରେ ବେଶ୍ ଭାବଗର୍ଭକ କଥାମାନ ଶୁଣିବାକୁ ମିଳିଥାଏ। ପୁଣି ପିଲାମାନେ ଆମ ଦେଶର ଭବିଷ୍ୟତ ବୋଲି ଆମେ ସଭିଏଁ କଥା କଥାକେ ଉଚ୍ଚାରଣ କରିଥାଉ। କିନ୍ତୁ ଆମ ଆଚରଣରେ ଏହା କେତେ ପ୍ରତିଫଳିତ ହେଉଛି, ପିଲାମାନଙ୍କର ବୌଦ୍ଧିକ ବିକାଶ ନିମନ୍ତେ ଆମେ କେତେ ତପତ୍ର ତାହାହିଁ ବିଚାର୍ଯ୍ୟ।
ଗୋଟିଏ ଦେଶର ବିକାଶ ସେ ଦେଶର ସରକାର ଅବା ଜନସାଧାରଣଙ୍କର ଶିକ୍ଷା ବିଭାଗ ଉପରେ ଥିବା ଦୃଷ୍ଟିଭଙ୍ଗୀରୁ ପରିଷ୍କାର ହୋଇଥାଏ। କିିନ୍ତୁ ବିଡ଼ମ୍ବନା ହେଉଛି ଶିକ୍ଷା ଏକ ଅଣଉପତ୍ାଦିତ କ୍ଷେତ୍ର ବୋଲି ଥିବା ମାନସିକତାରୁ ଏ ଯାଏ ଆମ୍ଭେ ମୁକ୍ତ ହୋଇପାରି ନାହୁଁ। ଏହାର ଚାକ୍ଷୁସ ପ୍ରମାଣ ହେଲା ବର୍ତ୍ତମାନର ଘଟଣାବଳୀ। ଶିକ୍ଷାକୁ ନେଇ ଆମର ଭାବାବେଗ ଓ ଚିନ୍ତନର କଙ୍କାଳସାର ଚେହେରା କରୋନାଜନିତ ମହାମାରୀ ସମୟରେ ସମସ୍ତଙ୍କ ସାମ୍ନାରେ ପ୍ରକଟିତ ହୋଇଛି।
ସ୍ମରଣ କରାଇଦେଉଛି ୨୦୨୦ ମାର୍ଚ୍ଚ ୧୭ରେ ଆମ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ତାଲା ପକାଇ ଦିଆଗଲା। ଏମିତିକି ଉଚ୍ଚ ମାଧ୍ୟମିକ ପରୀକ୍ଷାକୁ ମଧ୍ୟ ଅଧାରୁ ବନ୍ଦ କରିଦିଆଗଲା। ପ୍ରଥମରୁ ନବମ ଶ୍ରେଣୀ ପିଲାଙ୍କର ପରୀକ୍ଷା କରାଗଲା ନାହିଁ। ବିନା ପରୀକ୍ଷାରେ ସେମାନେ ଉପର ଶ୍ରେଣୀକୁ ପଦୋନ୍ନତି ପାଇଲେ। ସେହିଦିନଠାରୁ ଅଦ୍ୟାବଧି ପ୍ରଥମରୁ ପଞ୍ଚମଶ୍ରେଣୀରେ ପଢ଼ୁଥିବା ପିଲାମାନେ ବିଦ୍ୟାଳୟ ବାରଣ୍ଡା ମାଡ଼ିବାର ସୁଯୋଗରୁ ବଞ୍ଚତ୍ତ। ଅର୍ଥାତ୍ ଯେଉଁ ଶିଶୁଟି ପ୍ରଥମ ଶ୍ରେଣୀରେ ପଢ଼ୁଥିଲା ସେ ଏବେ ତୃତୀୟ ଶ୍ରେଣୀରେ। ଆଉ କିଛି ଦିନ ପରେ ସେ ଚତୁର୍ଥକୁ ଯିବ, ବିଦ୍ୟାଳୟକୁ ନ ଯାଇ। ତଦନୁଯାୟୀ ଅନ୍ୟ ପିଲାମାନେ ମଧ୍ୟ ପାଠ ନ ପଢ଼ି ସେମିତି ପାହାଚ ଚଢ଼ିଲେ। ପରୀକ୍ଷା ବନ୍ଦ କରିବା ପାଇଁ କିଛି ପିଲା ରାସ୍ତାକୁ ଆସି ଆନ୍ଦୋଳନ କଲେ। ଏହା ପଛରେ କିଏ? ଏହା ସପକ୍ଷରେ କେତେ? ପରୀକ୍ଷା ବାତିଲ ହେଲେ କ’ଣ ପ୍ରଭାବ ପଡ଼ିବ? ଏସବୁ ବିଷୟରେ ତର୍ଜମା ହେଲା ନାହିଁ। ହଠାତ୍ ଘୋଷଣା ହେଲା ପରୀକ୍ଷା ବାତିଲ। ମନେ ହେଲା ସତେଯେମିତି ସରକାର ଏହାହିଁ ଚାହିଁଥିଲେ। ଉଚ୍ଚ ଶିକ୍ଷାରେ ମଧ୍ୟ ସମାନ ଚିତ୍ର। ଅବଶ୍ୟ ସରକାର ଅନ୍ଲାଇନ୍ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇ ୟୁ-ଟ୍ୟୁବ୍ ଓ ଦୂରଦର୍ଶନ ମାଧ୍ୟମରେ ପାଠପଢ଼ା ଜାରି କରିଥିଲେ। କନ୍ତୁ ବିଭିନ୍ନ ଅସୁବିଧା କାରଣରୁ ୮୦ପ୍ରତିଶତରୁ ଅଧିକ ପିଲାଙ୍କ ନିକଟରେ ତାହା ଉପଲବ୍ଧ ହେଲା ନାହିଁ। ଫଳରେ ନାନାଦି ସମସ୍ୟା ସାଙ୍ଗକୁ ଅସଙ୍ଗତି ଓ ଅସାମ୍ୟ ଜନ୍ମ ନେଲା।
୨୦୧୯-୨୦ ଓ ୨୦୨୦-୨୧ ଶିକ୍ଷାବର୍ଷ ଧୋଇ ହୋଇଗଲା ପରେ ଆଶା କରାଯାଉଥିଲା ୨୦୨୧-୨୨ ଶିକ୍ଷାବର୍ଷରେ ସୁଧାର ଆସିବ। ସାଙ୍ଗ ସାଥୀ ମେଳରେ ପିଲାମାନେ ସ୍କୁଲ ଯିବେ। ସେମାନଙ୍କ ମୁହଁରେ ହସ ଫୁଟିବ। ବିଦ୍ୟାଳୟ ଚଳଚଞ୍ଚଳ ହେବ। ଆମ ଭବିଷ୍ୟତ ସମୃଦ୍ଧ ହେବ। ତାହାହିଁ ହେଲା। ବିଳମ୍ବରେ ହେଲେ ମଧ୍ୟ ଜୁଲାଇ ୨୬ରେ ଦଶମ ଓ ଦ୍ୱାଦଶ ଏବଂ ଅଗଷ୍ଟ ୧୬ତାରିଖ ଦିନ ନବମ ଓ ଏକାଦଶ ଶ୍ରେଣୀ ଖୋଲିଲା। ଅକ୍ଟୋବର ୨୬ରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହେଲା। ତା’ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ।
ଅନୁରୂପ ଭାବେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ହେଲା। ଲୋକେ ଆଶ୍ୱସ୍ତ ହେଲେ। ପ୍ରଥମରୁ ପଞ୍ଚମ ପରେ ପରେ ଖୋଲିଯିବ ବୋଲି ସୂଚନା ମିଳୁଥିଲା। ସମସ୍ତେ ସେହି ଶୁଭ ଖବର ଶୁଣିବା ପାଇଁ ଅନାଇ ବସିଥିଲେ। କେବେ ଆମ ରାଜ୍ୟର କୁନାକୁନି କାନ୍ଧରେ ବହି ବସ୍ତାନି ପକାଇ ବିଦ୍ୟାଳୟ ଅଭିମୁଖୀ ହେବେ। ସବୁକିଛି ସ୍ବାଭାବିକ ଅବସ୍ଥାକୁ ଫେରି ଆସୁଥିବା ବେଳେ ପୁଣି ଆରମ୍ଭ ହୋଇଗଲା କରୋନାର ତୃତୀୟ ଲହର। ଓମିକ୍ରନ୍ ଭୂତାଣୁର ଜୟଯାତ୍ରା। କଥା ସରିଲା। ପ୍ରତିଷେଧାତ୍ମକ ପଦକ୍ଷେପ ଗ୍ରହଣ କରିବାରେ ଆମେ ଅଦ୍ୱିତୀୟ। କାହାକୁ ଅଙ୍ଗୁଳି ଉଠାଇବାର ସୁଯୋଗ ନ ଦେଇ ଜାନୁୟାରୀ ୮ତାରିଖଠାରୁ ପୁଣି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦିଆଗଲା। ଘରର ଚାରି କାନ୍ଥ ଭିତରେ ଆବଦ୍ଧ ହୋଇଗଲେ କେଜିରୁ ପିଜି ପଢ଼ୁଥିବା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ। ବ୍ୟତିକ୍ରମ ହେଉଛି କୋଭିଡ କଟକଣା ସହିତ ହାଟ ବଜାର, କଳକାରଖାନା, ଖଣିଖାଦାନ, ଅଫିସ ଦପ୍ତର ସବୁକିଛି ଚାଲୁଥିବା ବେଳେ ମଣିଷ ଗଢ଼ା କାରଖାନାଗୁଡ଼ିକରେ ତାଲା ପଡ଼ିବା କଥାଟିକୁ ସହଜରେ ବହୁ ଲୋକ ଗ୍ରହଣ କରି ପାରି ନ ଥିଲେ। ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ପିତାମାତାଙ୍କର ଚିନ୍ତା ଅନୁଭବୀ ବ୍ୟତୀତ କେହି ଉପଲବ୍ଧି କରିପାରିବେ ନାହିଁ। ଭବିଷ୍ୟତ ପିଢ଼ିର ଧୀଶକ୍ତିର ଅଭିବୃଦ୍ଧିରେ ଏହା ଯେ ପ୍ରତିବନ୍ଧକ ସାଜୁଛି ଏଥିରେ ଆଦୌ ସନ୍ଦେହ ନାହିଁ।
ଏଭଳି ଏକ ଦୋଛକିରେ ଆମେ ଦଣ୍ଡାୟମାନ ହୋଇଥିବା ବେଳେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା ହୋଇଛି। ଲୋକେ ଭାବିଥିଲେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ରାଜନୈତିକ ଦଳ ସହମତ ହୋଇ ନିର୍ବାଚନ ଘୁଞ୍ଚାଇବା ସପକ୍ଷରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି ରଖିବେ। କିନ୍ତୁ ତାହା ହେଲା ନାହିଁ। ନିଜର ସ୍ଥିତିକୁ ଲକ୍ଷ୍ୟକରି ଭିନ୍ନ ଭିନ୍ନ ମତ ଦେଲେ, ଯାହା ନିର୍ବାଚନ ଅନୁଷ୍ଠିତ ହେବାର ପଥକୁ ସୁଗମ କରିଦେଲା। ଏବେ ସାରା ରାଜ୍ୟ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ।
ଏହି ସମୟରେ ଗାଁ ଭୂଇଁରେ ଘେରାଏ ବୁଲିଆସିଲେ ବେଶ୍ କିଛି ଅଭାବନୀୟ ଦୃଶ୍ୟ ଆଖିରେ ପଡ଼ିବ। ସବୁଠି ଯେ କରୋନା କଟକଣାକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଉଛି ଏ କଥା ଜୋର୍ଦେଇ କହିହେବ ନାର୍ହିଁ। ନିର୍ବାଚନ ଆଚରଣ ବିଧିର ଖୁଲମ୍ଖୁଲା ଉଲ୍ଲଂଘନ ଆଜିକାଲି ଏକ ସାଧାରଣ ଘଟଣା ପାଲଟିଗଲାଣି। ଜଣେ ସରପଞ୍ଚ ପ୍ରାର୍ଥୀ ସର୍ବାଧିକ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବାର ବିଧି ଧର୍ମକୁ ଆଖିଠାର କହିଲେ ଅତ୍ୟୁକ୍ତି ହେବନାହିଁ। ଏସବୁ ହେଲା ନୈତିକତାର ପ୍ରଶ୍ନ। ଏହାକୁ ଛାଡ଼ିଦେଲେ ଆଉ ଏକ ଦୃଶ୍ୟ ସାମ୍ନାକୁ ଆସୁଛି। ତାହା ହେଲା ଅପ୍ରାପ୍ତବୟସ୍କ ପିଲାମାନଙ୍କର ସମ୍ପୃକ୍ତି। ଯେଉଁ ବୟସରେ ପିଲାଟି ପୁସ୍ତକ ଧରି ବସନ୍ତା ତା’ ହାତରେ ଆଜି ପୋଷ୍ଟର। କଲମ ପରିବର୍ତ୍ତେ ଅଠାର ବୋତଲ। ପାଠପଢ଼ାର ଚାପ ନାହିଁ। ଏ ପଟେ ନିର୍ବାଚନର ପ୍ରଚାର ଚାଲିଛି। ରଙ୍ଗବେରଙ୍ଗର ପୋଷ୍ଟର, ପୁଣି ଚକୋଲେଟର ଲୋଭ। କାହାର କେହି ଆତ୍ମୀୟ ହୁଏତ ନିର୍ବାଚନ ଦୌଡ଼ରେ ସାମିଲ । ଏ ବେଳରେ ପାଠପଢ଼ା ନ ଥିବା କାରଣଟି ଆଜିର କଳୁଷିତ ରାଜନୀତି ସହିତ ପିଲାଙ୍କ ଯୁକ୍ତ ହେବାରେ ଖୋରାକ ଯୋଗାଇଦେଇଛି।
ଜାଣି ଜଗତକୁ ଜିଣିବାରେ ଜିଜ୍ଞାସା ଜାତ କରିବା ପାଇଁ ପୁସ୍ତକ ପରିବର୍ତ୍ତେ ପୋଷ୍ଟର ଧରାଇଦେଲେ ପିଲାଟି ବିପଥଗାମୀ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଏହି ବାସ୍ତବତାକୁ ହୃଦୟଙ୍ଗମ କରିବା ଆବଶ୍ୟକ। ପିଲାମାନେ ହେଉଛନ୍ତି ଆମ ଜାତିର ସମ୍ପଦ। ଖୁବ୍ଶୀଘ୍ର ସେମାନଙ୍କ ପାଇଁ ପଠନର ପବିତ୍ର ପରିବେଶଟିଏ ଗଢ଼ିଦେବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ।
ଅବଶ୍ୟ ସ୍କୁଲ ଓ କଲେଜ ଖୋଲିବାର ନିଷ୍ପତ୍ତି କାନରେ ବାଜିଛି। ଆଶା ରଖିବା ନିଷ୍ପତ୍ତିରେ ଆଉ ପରିବର୍ତ୍ତନ ନ ହେଉ। ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବା ଶୁଭ ସଂକେତ ନୁହେଁ। ପରିସଂଖ୍ୟାନ ନିଆଗଲେ କେତେ ପିଲା ପାଠପଢ଼ା ଛାଡ଼ିଦେଲେଣି ତା’ର ହିସାବ ମିଳିବ । ଏହି ସଂଖ୍ୟା କେମିତି ନ ବଢ଼ିବ ଏବଂ ପଢ଼ା ଛାଡ଼ିଥିବା ପିଲାମାନେ ପୁନର୍ବାର କେମିତି ପ୍ରତ୍ୟାବର୍ତ୍ତନ କରିବେ ସେ ଦିଗରେ ଯୋଜନା ପ୍ରସ୍ତୁତ ହେବା ବାଞ୍ଛନୀୟ।
ପ୍ରାକ୍ତନ୍ ଯୁଗ୍ମ ସାଧାରଣ ସମ୍ପାଦକ (ଓଷ୍ଟା)
ମୋ: ୭୦୦୮୦୭୩୫୯୯