ଚେନ୍ନାଇ,୯।୭: ତାମିଲନାଡୁର ୬୫ ବର୍ଷୀୟ ବୃଦ୍ଧ ଡି. ଶିବନଙ୍କ କାହାଣୀ ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ପେଶାରେ ଜଣେ ପୋଷ୍ଟମ୍ୟାନ ଥିବା ବେଳେ ଗତ ସପ୍ତାହରେ ଅବସର ନେଇଛନ୍ତି। ହେଲେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ସରକାର ପଦ୍ମଶ୍ରୀ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି। ମାସିକ ପ୍ରାୟ ୧୨,୦୦୦ଟଙ୍କା ବେତନରେ ଶିବନ ପ୍ରତିଦିନ ପାଖାପାଖି ୧୫ କିଲୋମିଟର ଜଙ୍ଗଲ ଓ ପାହାଡ଼ ରାସ୍ତା ଅତିକ୍ରମ କରି ଲୋକଙ୍କ ପାଖରେ ଚିଠି ପହଞ୍ଚାଇଥାଆନ୍ତି। ଏହି ସମୟରେ ସେ କେତେବେଳେ ଜଙ୍ଗଲି ଜନ୍ତୁଙ୍କ ସାମ୍ନା କରନ୍ତି ତ ପୁଣି କେତେବେଳେ ପାହାଡ଼ର ଦୁର୍ଗମ ରାସ୍ତା ଦେଇ ଗତି କରିବାକୁ ପଡିଥାଏ ତାଙ୍କୁ। ଏସବୁ ସତ୍ତ୍ୱେ ବି ସେ ତାଙ୍କ କର୍ତ୍ତବ୍ୟରେ କେବେ ଅବହେଳା କରି ନ ଥିବା କୁହାଯାଏ। ଜଣେ ଆଇଏଏସ୍ ଶିବନଙ୍କ ସମ୍ପର୍କରେ ପ୍ରଥମେ ଟୁଇଟ୍ କରିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା। ଆଇଏଏସ୍ଙ୍କ ଟୁଇଟ୍ ପରେ ଏହାକୁ କିଛି ସମୟ ମଧ୍ୟରେ ୬୨ ହଜାର ଲାଇକ୍ସ ମିଳିବାସହ ୧୨ ହଜାରରୁ ଅଧିକ ଥର ରିଟୁଇଟ୍ କରାଯାଇଥିବା କୁହାଯାଏ। ଜଣେ ୟୁଜର୍ସ ଲେଖିଛନ୍ତି ମଁୁ ୨୦୧୮ରେ ତାଙ୍କର ଏକ ସାକ୍ଷାତ୍କାର ନେଇଥିଲି ଏଭଳି ବ୍ୟକ୍ତିଙ୍କୁ ଭାରତ ରନ୍ନ ନଚେତ୍ ଅତିକମ୍ରେ ପଦ୍ମଶ୍ରୀରେ ସରକାର ସମ୍ମାନୀତ କରିବା କଥା। ଏହାକୁ ଦେଖିବା ପରେ କେତେଜଣ ୟୁଜର୍ସ ଏହାକୁ ରିଟୁଇଟ୍ କରିବା ସହ ରାଷ୍ଟ୍ରପତିଙ୍କୁ ଟ୍ୟାଗ କରି ଶିବନଙ୍କୁ ପଦ୍ମଶ୍ରୀ ଦେବାକୁ ଅନୁରୋଧ କରିଛନ୍ତି।