
ଭୁବନେଶ୍ୱର, ୧ା୪(ସୁନିତ୍ ମିଶ୍ର): ରାଜ୍ୟରେ ଯେତିକି ମଞ୍ଜୁରୀପ୍ରାପ୍ତ ଉଚ୍ଚପଦସ୍ଥ ସରକାରୀ ପଦପଦବୀ ରହିଛି ତାହା ପୂରଣ ହେଉନାହିଁ। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ପୋଲିସ ସେବା (ଆଇପିଏସ୍)ଠାରୁ ଆରମ୍ଭ କରି ଭାରତୀୟ ବନ ସେବା (ଆଇଏଫ୍ଏସ୍), ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍), ଓଡ଼ିଶା ପୋଲିସ ସେବା (ଓପିଏସ୍), ଓଡ଼ିଶା ଅର୍ଥ ସେବା, ଓଡ଼ିଶା ବନ ସେବା ଏବଂ ଓଡ଼ିଶା ରାଜସ୍ବ ସେବା (ଓଆର୍ଏସ୍)ର ମଞ୍ଜୁରୀପ୍ରାପ୍ତ ପଦବୀ ସମ୍ପୂର୍ଣ୍ଣ ପୂରଣ ହୋଇନାହିଁ।
ସେହିପରି ଆଇଏଏସ୍ ଏବଂ ଆଇପିଏଏସ୍ ମଞ୍ଜୁରୀପ୍ରାପ୍ତ ଅଫିସର ପଦବୀ ଅନେକାଂଶରେ ଖାଲି ପଡ଼ିଥିବାବେଳେ ବହୁ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀ ଓଡ଼ିଶା ଛାଡ଼ି କେନ୍ଦ୍ରୀୟ ଡେପୁଟେଶନରେ ଚାଲିଯାଉଛନ୍ତି। ଗତ ୨ ବର୍ଷ ଭିତରେ ୬ ଜଣ ଆଇଏଏସ୍ ଏବଂ ୧୦ ଜଣ ଆଇପିଏସ୍ ଅଫିସର କେନ୍ଦ୍ରୀୟ ଡେପୁଟେଶନରେ ଯାଇଛନ୍ତି। ଗତ ୮ ବର୍ଷରେ ମୋଟ୍ ୨୨ ଜଣ ଆଇଏଏସ୍ ଏବଂ ଗତ ୯ ବର୍ଷଲେ ୨୨ ଜଣ ଆଇପିଏସ୍ରେ ଡେପୁଟେଶନରେ ଯାଇଛନ୍ତି। ଏପରିକି ୨୦୧୭ରୁ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିବା ଅନେକ ଅଫିସର ଓଡ଼ିଶା ଫେରିନାହାନ୍ତି। ଏଭଳି ଆଇପିଏସ୍ମାନଙ୍କ କ୍ଷେତ୍ରରେ ୧୯୯୮ ଏବଂ ୨୦୧୬ରୁ ଡେପୁଟେଶନରେ ଯାଇଥିବା ବହୁ ଅଧିକାରୀ ଓଡ଼ିଶା ଫେରିନାହାନ୍ତି। ଏପରି ଦେଖିଲେ ଏବେ ରାଜ୍ୟରୁ ମୋଟ୍ ୨୨ ଜଣ ଆଇଏଏସ୍ ଏବଂ ୨୪ ଜଣ ଆଇପିଏସ୍ ଅଫିସର ଡେପୁଟେଶନରେ ଅଛନ୍ତି। ସରକାରଙ୍କ ତଥ୍ୟ ଉପରେ ନଜର ପକାଇଲେ ଓଡ଼ିଶାରେ ବହୁ ମଞ୍ଜୁରୀପ୍ରାପ୍ତ ଆଇଏଏସ୍ ଏବଂ ଆଇପିଏସ୍ ଅଫିସର ପଦବୀ ଖାଲିପଡ଼ିଛି।
ରାଜ୍ୟରେ ୨୪୮ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍ ପଦବୀ ରହିଛି। ସେଥିମଧ୍ୟରୁ ୧୮୦ଟି ପଦବୀ ପୂରଣ ହୋଇଛି। ହେଲେ ପୂରଣ ହୋଇଥିବା ପଦବୀ ମଧ୍ୟରୁ ୨୨ ଜଣ କେନ୍ଦ୍ରୀୟ ଡେପୁଟେଶନରେ ପଳାଇଥିବା ବେଳେ ୬୭ଟି ଆସନ ଖାଲିପଡ଼ିଛି। ଅର୍ଥାତ୍ ଗତ ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ରାଜ୍ୟରେ ମୋଟ୍ ୧୫୯ ଜଣ ଆଇଏଏସ୍ ଅଫିସର କାର୍ଯ୍ୟରତ ଥିଲେ। ହେଲେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍ ଗତ ଶନିବାର ତାଙ୍କ ଚାକିରିରୁ ଭିଆର୍ଏସ୍ ନେବା ପରେ ଏହି ସଂଖ୍ୟା ଆଉ ଗୋଟିଏ ତଳକୁ ଖସିଯାଇଛି। ଏହି ସଂଖ୍ୟା ବର୍ତ୍ତମାନ ୧୫୮ରେ ପହଞ୍ଚିଛି। ୧୫୮ଟି ପଦବୀ ପୂରଣ ଥିବାବେଳେ ମୋଟ୍ ୯୦ ଆଇଏଏସ୍ ପଦବୀରେ କେହି ଅଧିକାରୀ ନାହାନ୍ତି। ସେହିପରି ଓଡ଼ିଶାରେ ୧୯୫ଟି ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ଅଫିସର ପଦବୀ ଥିବାବେଳେ ସେଥିରୁ ୧୨୬ଟି ପଦବୀ ପୂରଣ ହୋଇଛି। ୨୪ ଜଣ ଅଧିକାରୀ ଏବେ କେନ୍ଦ୍ରୀୟ ଡେପୁଟେଶନରେ ଥିବାବେଳେ ୬୯ଟି ପଦବୀ ଖାଲି ପଡ଼ିଛି। ତେଣୁ ତଥ୍ୟକୁ ଦେଖିଲେ, ଡେପୁଟେଶନରେ ଯାଇଥିବା ଅଧିକାରୀଙ୍କୁ ବାଦ୍ ଦେଲେ ରାଜ୍ୟରେ ଏବେ ମୋଟ୍ ୧୦୨ ଜଣ କାର୍ଯ୍ୟ କରୁଛନ୍ତି। ତେଣୁ ୯୩ଟି ଆଇପିଏସ୍ ଅଫିସର ପଦବୀ ଓଡ଼ିଶାରେ ଖାଲି ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ରଖିଥିବା ଏକ ଲିଖିତ ଉତ୍ତରର ତଥ୍ୟ ଅନୁଯାୟୀ, ଅଫିସରମାନଙ୍କ ବଦଳି ସାଧାରଣତଃ ୩ ବର୍ଷରେ କରାଯାଇଥାଏ। ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩ ବର୍ଷ ପୂର୍ବରୁ ମଧ୍ୟ ବଦଳି କରାଯାଇପାରିବ। ଆଇଏଏସ୍ ଅଧିକାରୀମାନଙ୍କ ବଦଳି ସିଭିଲ ସର୍ଭିସ୍ ବୋର୍ଡ ସୁପାରିସ ଏବଂ ଆଇପିଏସ୍ ଅଧିକାରୀଙ୍କ ବଦଳି ଲାଗି ଗଠିତ କମିଟିର ସୁପାରିସ ଏବଂ ସରକାରଙ୍କ ଅନୁମୋଦନକ୍ରମେ କରାଯାଇଥାଏ। ଓଏଏସ୍ ଅଫିସରଙ୍କ ବଦଳି ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯାଇଥାଏ।
କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିବା ୨୨ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରୁ ୨୦୧୭ରେ ଜଣେ, ୨୦୧୯ରେ ୫ ଜଣ, ୨୦୨୦ରେ ୨ ଜଣ, ୨୦୨୧ରେ ୨ ଜଣ, ୨୦୨୨ରେ ୬ ଜଣ, ୨୦୨୩ରେ ଜଣେ ଏବଂ ୨୦୨୪ରେ ୫ ଜଣ ଯାଇଛନ୍ତି। ଏହା ଉପରେ ନଜର ପକାଇଲେ ୨୦୨୦ରୁ ୨୦୨୪ ଶେଷ ସୁଦ୍ଧା ମୋଟ୍ ୧୬ ଜଣ ଡେପୁଟେଶନରେ ଯାଇଛନ୍ତି। ସେହିପରି ଆଇପିଏସ୍ ଅଫିସରମାନଙ୍କ ସଂଖ୍ୟା ଉପରେ ଦୃଷ୍ଟି ପକାଇଲେ କେନ୍ଦ୍ରୀୟ ଡେପୁଟେଶନରେ ଯାଇଥିବା ମୋଟ୍ ୨୪ ଜଣଙ୍କ ମଧ୍ୟରୁ ୧୯୯୮ରେ ଜଣେ, ୨୦୦୭ରେ ଜଣେ, ୨୦୧୬ରେ ୨ ଜଣ, ୨୦୧୭ରେ ଜଣେ, ୨୦୧୮ରେ ୨ ଜଣ, ୨୦୧୯ରେ ୩, ୨୦୨୦ରେ ଜଣେ, ୨୦୨୧ରେ ୩ ଜଣ, ୨୦୨୩ରେ ୪ ଏବଂ ୨୦୨୪ରେ ସର୍ବାଧିକ ୬ ଜଣ ଯାଇଛନ୍ତି। ଏହି ତଥ୍ୟରେ ୨୦୧୯ରୁ ୨୦୨୪ ଶେଷ ସୁଦ୍ଧା ଥିବା ତଥ୍ୟକୁ ଦେଖିଲେ ମୋଟ୍ ୧୭ ଜଣ ଆଇପିଏସ୍ ଅଧିକାରୀ କେନ୍ଦ୍ରୀୟ ଡେପୁଟେଶନରେ ଚାଲିଯାଇଛନ୍ତି।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଉଭୟ ଆଇଏଏସ୍ ଏବଂ ଆଇପିଏସ୍ ଅଫିସରମାନଙ୍କ ବଦଳି ଲାଗି ଏକ କମିଟି ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି କମିଟିର ଅଧ୍ୟକ୍ଷ ହେଉଛନ୍ତି ମୁଖ୍ୟ ଶାସନ ସଚିବ। ତାଙ୍କ ତଳକୁ ସିନିୟର ମୋଷ୍ଟ ୨ ଜଣ ଅଧିକାରୀ ଉକ୍ତ କମିଟିରେ ସଦସ୍ୟ ଅଛନ୍ତି। ଏମାନେ ବସି ଆଇଏଏସ୍, ଆଇପିଏସ୍ ଅଧିକାରୀଙ୍କ ନିଯୁକ୍ତି, ବଦଳି ସମ୍ପର୍କିତ ନିଷ୍ପତ୍ତି ନେବାପରେ ମୁଖ୍ୟମନ୍ତ୍ରୀ ତାହାକୁ ଅନୁମୋଦନ ଦେଇଥାଆନ୍ତି। କୌଣସି ଆଇଏଏସ୍ କିମ୍ବା ଆଇପିଏସ୍ ଅଧିକାରୀ ଅତିକମ୍ରେ ୨ ବର୍ଷ ଯାଏ ଗୋଟିଏ ଜାଗାରେ ରହିପାରିବେ। ସେଭଳି କିଛି ଜରୁରୀ ଥିଲେ ଏ ସମୟ ପୂର୍ବରୁ ଏହି ଉଚ୍ଚପଦସ୍ଥ ଅଧିକାରୀଙ୍କ ବଦଳି କରାଯାଇପାରିବ। ହେଲେ ସେପରି ଜଣେ ଆଇଏଏସ୍ ଅଧିକାରୀ ଗୋଟିଏ ବିଭାଗରେ କେତେଦିନ ରହିବେ ସେନେଇ କିଛି ପ୍ରାବଧାନ ନ ଥିବା ଉକ୍ତ ଅଧିକାରୀ ଜଣକ କହିଛନ୍ତି। ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଛନ୍ତି, ଆଇଏଏସ୍ ଅଫିସରମାନେ ଗୋଟିଏ ବିଭାଗରେ ଦୀର୍ଘଦିନ କାମ କରିପାରିବେ। ଆଇଏଏସ୍ ଅଫିସରଙ୍କ ନିର୍ଦ୍ଦିଷ୍ଟ କିଛି ବର୍ଷରେ ବଦଳି ନେଇ ସେପରି କୌଣସି ରୁଲ୍ସ ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପଟେ ରାଜ୍ୟରେ ମୋଟ୍ ୨,୨୪୮ ମଞ୍ଜୁରୀପ୍ରାପ୍ତ ଓଏଏସ୍ ଅଫିସର ପଦବୀ ଥିବାବେଳେ ସେଥିରୁ ୧,୯୯୫ଟି ପୂରଣ ହୋଇଛି। ବାକି ୨୫୩ ପଦବୀ ଖାଲି ପଡ଼ିଛି। ଓପିଏସ୍ ପଦବୀ ସଂଖ୍ୟା ୮୨୯ ହୋଇଥିବାବେଳେ ୫୭୬ ପଦବୀ ପୂରଣ ରହିଥିବା ବେଳେ ୨୫୩ଟି ଖାଲି ପଡ଼ିଛି। ଓଡ଼ିଶା ଅର୍ଥ ସେବାର ୧୧୭୨ଟି ପଦବୀରୁ ୮୯୮ଟି ପୂରଣ ଅଛି, ୨୭୪ଟି ଖାଲି ପଡ଼ିଛି। ଓଡ଼ିଶା ବନ ସେବାର ୧,୦୫୮ ପଦବୀରୁ ୪୪୭ଟି ପୂରଣ ରହିଥିବାବେଳେ ୬୧୧ଟି ଖାଲି ପଡ଼ିଛି ଏବଂ ୧,୨୯୦ଟି ଓଆର୍ଏସ୍ ପଦବୀରୁ ୧୦୨୭ଟି ପୂରଣ ହୋଇଥିବାବେଳେ ୨୬୩ଟି ପଦ ଖାଲି ପଡ଼ିଥିବା ସରକାର ତଥ୍ୟ ଦେଇଛନ୍ତି।
କେବଳ ପ୍ରଶାସନିକ ସେବା ଅଧିକାରୀଙ୍କ କଥା ନୁହେଁ, ପୋଲିସ ସଂଖ୍ୟା ଉପରେ ନଜର ପକାଇଲେ ରାଜ୍ୟରେ ରହିଥିବା ମଞ୍ଜୁରୀପ୍ରାପ୍ତ ପଦବୀ ପୂରଣ ହୋଇପାରିନାହିଁ। ଜାତୀୟ ପୋଲିସ ଗବେଷଣା ଓ ବିକାଶ ବ୍ୟୁରୋ(ବିପିଆର୍ ଆଣ୍ଡ୍ ଡି), ନୂଆଦିଲ୍ଲୀଙ୍କ ଦ୍ୱାରା ୨୦୨୩ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ପ୍ରତି ଲକ୍ଷେ ଲୋକଙ୍କ ପିଛା ୧୫୦.୯୯ ହାରରେ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି। ହେଲେ ୧୨୦.୫୮ ହାରରେ କାର୍ଯ୍ୟ କରୁଛନ୍ତି। ଏହା ସର୍ବଭାରତୀୟ ହାରଠାରୁ କମ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତଥ୍ୟ ରଖିଛନ୍ତି। ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ପଦବୀ ବୃଦ୍ଧି ଲାଗି ପର୍ଯ୍ୟାୟକ୍ରମେ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି। ସେହି କ୍ରମରେ ଜିଲାଗୁଡ଼ିକର ଥାନାରେ ମଧ୍ୟ ମାମଲା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୮ ମାସରେ ବିଭିନ୍ନ ଜିଲାରେ ୧,୩୫,୦୭୪ଟି ମାମଲା ରୁଜୁ କରାଯାଇଛି। ଏଥିମଧ୍ୟରୁ ଗଞ୍ଜାମ ଜିଲାରେ ଅଧିକ ମାମଲା ରୁଜୁ ହୋଇଛି।