Categories: ଜାତୀୟ

‘ରାମଚରିତମାନସରେ ପୋଟାସିୟମ ସାଇନାଇଡ’, ଚନ୍ଦ୍ରଶେଖରଙ୍କ ବିବାଦୀୟ ବୟାନ, ଭାଜପା କହିଲା ଚାଖି ନିଅନ୍ତୁ…

ନୂଆଦିଲ୍ଲୀ,୧୫।୯: ବିହାର ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ପୁଣିଥରେ ତାଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଚନ୍ଦ୍ରଶେଖର ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାମଚରିତମାନସରେ ପୋଟାସିୟମ ସାଇନାଇଡ ଅଛି, ଯେପର୍ଯ୍ୟନ୍ତ ଏହା ଅଛି, ଆମେ ଏହାକୁ ବିରୋଧ କରିବୁ। ଗୁରୁବାର ହିନ୍ଦୀ ଦିବସରେ ବିହାର ହିନ୍ଦୀ ଗ୍ରନ୍ଥ ଏକାଡେମୀରେ ଆୟୋଜିତ କାର୍ଯ୍ୟକ୍ରମକୁ ସେ ସମ୍ବୋଧିତ କରିବା ସମୟରେ ଏହା କହିଛନ୍ତି।
ଶିକ୍ଷା ମନ୍ତ୍ରୀ ଏକ ଚୌପାଇ ‘ପୂଜହି ବିପ୍ର ସକଳ ଗୁଣ ହିନା, ଶୁଦ୍ର ନ ପୂଜହୁ ବେଦ ପ୍ରବୀଣା’ ପଢିବା ପରେ ପ୍ରଶ୍ନ ପଚାରିଥିଲେ, ଏହା କ’ଣବୋଲି। ଜାତି ବିଷୟରେ ଏହା କିଛି ଭୁଲ ନୁହେଁ କି ବୋଲଇ ମଧ୍ୟ ସେ ପ୍ରଶ୍ନ କରିଥିଲେ। ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ଗତଥର ରାମଚରିତମାନସର ସୁନ୍ଦରା କାଣ୍ଡ ସମ୍ପର୍କରେ ଦେଇଥିବା ବୟାନକୁ ଉଲ୍ଲେଖ କରି କହିଛନ୍ତି ଯେ ଯଦି ଜିଭ କାଟିବା ପାଇଁ ମୂଲ୍ୟ ଧାର୍ଯ୍ୟ କରାଯାଇଛି, ତେବେ ମୋ ଗଳାର ମୂଲ୍ୟ କ’ଣ ହେବ।
ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଏହି ବିବାଦୀୟ ବୟାନ ପରେ ଭାଜପା କଡା ପ୍ରତିକ୍ରିୟା ଦେଇଛି। ଭାଜପାର ଜାତୀୟ ମୁଖପାତ୍ର ଡକ୍ଟର ଅଜୟ ଆଲୋକ ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ରାମଚରିତମାନସରେ ପୋଟାସିୟମ ସାଇନାଇଡ ଦେଖନ୍ତି, ତେବେ ଆପଣ ମଧ୍ୟ ଏହାର ସ୍ବାଦ ପାଇବା ଉଚିତ।

Share