ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର

ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା ଟପିଯାଇଛି । କିଛି କିଛି ସ୍ଥାନରେ ମାର୍କେଟରେ ଆଳୁ ମିଳୁନାହିଁ । ବାହାର ରାଜ୍ୟରୁ ଆଳୁ ଆମଦାନୀ ହେଉପାରୁ ନ ଥିବାରୁୁ ଓଡ଼ିଶା ବଜାରରେ ଆଳୁ ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି । ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆସୁଥିବା ଶହ ଶହ ଆଳୁ ଟ୍ରକକୁ ଅଟକାଇ ଦେଇଛନ୍ତି । ଏମିତି ହେଲାଣି ଯେ ଖୋଲା ବଜାରରୁ ଆଳୁ ମଧ୍ୟ ଗାଏବ ହୋଇଗଲାଣି । ତିନି ଦିନରେ ଆଳୁ ଦରରେ ୨୦ ଟଙ୍କା ବୃଦ୍ଧି ଘଟିଛି ।

ପଶ୍ଚିମବଙ୍ଗରୁ ଆମଦାନୀ ହେଉଥିବା ଆଳୁ ଟ୍ରକଗୁଡ଼ିକ ସବୁ ଅଧା ବାଟରେ ଅଟକି ରହିଛି । ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ପାଖରେ ପଶ୍ଚିମବଙ୍ଗରୁ ଆସିଥିବା ଶହେରୁ ଅଧିକ ଆଳୁ ଟ୍ରକ ଅଟକି ରହିଛି । ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ଏସବୁ ଆଳୁ ଟ୍ରକ୍‌କୁ ପୋଲିସ ଅଟକାଇଥିବା ସୂଚନା ମିଳିଛି ।

ପଶ୍ଚିମବଙ୍ଗରୁ ଆଳୁ ନ ପହଞ୍ଚିବାରୁ ଓଡ଼ିଶା ବଜାରରେ ଆଳୁ ସଙ୍କଟ ସୃଷ୍ଟି ହୋଇଛି । ସେପଟେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ହୋଇଛି । ୨ ଦିନ ଭିତରେ ସ୍ଥିତି ସ୍ବାଭାବିକ ହୋଇଯିବ । ପଶ୍ଚିମବଙ୍ଗରେ ଷ୍ଟ୍ରାଇକ ଚାଲୁଥିବାରୁ ଟ୍ରକ ସବୁ ଅଟକିଥିଲା । ୨ ଦିନ ପରେ ଆଳୁ ଯୋଗାଣ ହେବ ଆଉ ରେଟ କମିଯିବ । ସୂଚନା ମିଳିଛି କି, ପଶ୍ଚିମବଙ୍ଗରେ ମଧ୍ୟ ଆଳୁ ସଙ୍କଟ ଦେଖାଯାଇଛି। ସେଠାରେ ମଧ୍ୟ ଆଳୁ ରେଟ୍‌ ବୃଦ୍ଧି ପାଇଛି। ଯାହାକୁ ନେଇ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟର ଆଳୁ ଦର ବୃଦ୍ଧି ସମସ୍ୟାକୁ ସମାଧାନ କରିବାକୁ ଚାହୁଁଛନ୍ତି। ସମାଧାନ କରିବା ପରେ ଆଳୁ ରପ୍ତାନୀ କରିବେ ବୋଲି ଜଣାପଡିଛି।

କହିରଖୁଛୁ କି, ପୂର୍ବରୁ ଅନେକ ଥର ଓଡିଶାରେ ଆଳୁ ସଙ୍କଟର ସମାଧାନ ନେଇ ପଶ୍ଚିମବଙ୍ଗ ସହଯୋଗ କରିଛି । ଏହି ଦୃଷ୍ଟରୁ ବର୍ତ୍ତମାନ ସୃଷ୍ଟି ହୋଇଥିବା ଆଳୁ ସଙ୍କଟର ସମାଧାନ ପାଇଁ ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନବୀନ ଅନୁରୋଧ କରିଛନ୍ତି । ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଓଡିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ମମତାଙ୍କୁ ଅପିଲ କରିଛନ୍ତି ନବୀନ ।

Share