କୋରାପୁଟ ଜିଲାରେ ୩, ୭୯୦ ହେକ୍ଟର ଜମିରେ ଆଳୁଚାଷ

କୋରାପୁଟ, ୨୧ା୯(ଅମିତାଭ ବେହେରା): କୋରାପୁଟ ଜିଲାରେ ଚଳିତ ବର୍ଷା ଋତୁରେ ଜିଲା କୃଷି ବିଭାଗ ପକ୍ଷରୁ ୪ ହଜାର ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲାରେ ୩ ହଜାର ୭୯୦ ହେକ୍ଟର ଜମିରେ ଆଳୁଚାଷ କରାଯାଉଥିବା ଜିଲା କୃଷି ଅଧିକାରୀ ସୁଦାମ ଚରଣ ବିଶ୍ୱାଳ କହିଛନ୍ତି। ଜିଲାରେ ଆଳୁ ଚାଷ ପାଇଁ ଅନୁକୂଳ ପରିବେଶ ରହିଥିବାରୁ ଗତ କିଛି ବର୍ଷ ହେଲା ଖରିଫ ଋତୁରେ ଚାଷୀ ଆଳୁଚାଷ କରି ଆର୍ଥତ୍କ ଉନ୍ନତି ଆଣି ପାରୁଥିବାରୁ ଜିଲାରେ ବର୍ଷକୁ ବର୍ଷ ଆଳୁ ଚାଷ ବୃଦ୍ଧି ପାଇଛି । ଚଳିତ ବର୍ଷ ଜିଲାର ଦଶମନ୍ତପୁର, ନନ୍ଦପୁର, ସେମିଳିଗୁଡା, ପଟ୍ଟାଙ୍ଗି ଆଦି ବିଭିନ୍ନ ବ୍ଳକରେ ଆଳୁ ଚାଷ ଆରମ୍ଭ ହୋଇଛି। ଗତ କିଛି ଦିନ ତଳେ କୋରାପୁଟ ଗସ୍ତରେ ଆସିଥିବା କୃଷି ସଚିବ ଅରବିନ୍ଦ ପାଢ଼ୀ ଜିଲା କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀଙ୍କ ସହ ଜିଲାର ଦଶମନ୍ତପୁର ବ୍ଳକ ପୋଡାଗଡ , ପଟ୍ଟାମାଳିଗୁଡା ଅଞ୍ଚଳ ସମେତ ଅନ୍ୟ ଅଞ୍ଚଳ ବୁଲି ସେଠାରେ ହୋଇଥିବା ଆଳୁ ଚାଷ ଦେଖି ସନ୍ତୋଷ ପ୍ରକାଶ କରିଥିଲେ । କୋରାପୁଟ ଜିଲାରେ ୪ ହଜାର ହେକ୍ଟର ଜମିରେ ବର୍ଷାଦିନିଆ ଆଳୁ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୯୩ ପ୍ରତିଶତ ଅର୍ଥାତ ୩ ହଜାର ୭୯୦ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି । ଦଶମନ୍ତପୁର ବ୍ଲକରେ ସିୱାଇଏସ୍‌ଡି ପକ୍ଷରୁ ଉଦ୍ୟାନ ବିଭାଗ ସହଯୋଗରେ ୬ ପଞ୍ଚାୟତରେ ୩୨୦ ଜଣ ଚାଷୀଙ୍କୁ ନେଇ ୪୧୦ ଏକର ଜମିରେ ଖରିଫ ଆଳୁ ଚାଷ କରାଯାଉଛି । ବର୍ତ୍ତମାନ ଚାଷ ହୋଇଥିବା ଆଳୁ ଗଛରେ ଫୁଲ ଆସିଛି । ଗତ କିଛିଦିନ ତଳେ ବର୍ଷା ଅଭାବ ଯୋଗୁ ଆଳୁ ଅମଳରେ ବାଧା ସୃଷ୍ଟି ହେବ ବୋଲି ଚାଷୀଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଗତ କିଛି ଦିନ ଧରି ଜିଲାରେ ବର୍ଷାର ପରିମାଣ ବୃଦ୍ଧି ହୋଇଥିବା ଏବଂ ଗଛରେ ଭଲ ଭାବେ ଫୁଲ ଆସିଥିବାରୁ ଚଳିତ ଖରିଫ ଋତୁରେ ଆଳୁ ଭଲ ଅମଳ ହେବ ବୋଲି ପୋଡାଗଡ ପଞ୍ଚାୟତ ପୁରିମୁଣ୍ଡା ଗ୍ରାମର ଚାଷୀ ଲମ୍ବୋଧର ଖରା କହିଛନ୍ତି। ଚଳିତ ବର୍ଷ ସେ ୨ ଏକର ଜମିରେ ଆଳୁ ଚାଷ କରିଥିବା ପ୍ରକାଶ କରିଛନ୍ତି। ଏକର ପିଛା ୨୫ରୁ ୩୦ କୁଇଣ୍ଟାଲ ଆଳୁ ଉତ୍ପାଦାନ ନେଇ ଅଞ୍ଚଳର ଚାଷୀ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଚଳିତ ବର୍ଷ ଗୋଟିଏ ଗୋଟିଏ ପେଚ୍‌ରେ ୨୦ରୁ ୩୦ ଏକର ଜମିରେ ଆଳୁ ଚାଷ ହୋଇଥିବା ସିୱାଇଏସ୍‌ଡିର ସଂଯୋଜକ ଆନନ୍ଦ ମଲିକ କହିଛନ୍ତି। ସୂଚନାଯୋଗ୍ୟ, ଜିଲାର ବହୁ ଜମିରେ କେବଳ ଧାନ, ମାଣ୍ଡିଆ, ସୁଆଁ, ଅଦା ଆଦି ଚାଷ ହେଉଥିବା ବେଳେ ସରକାର ଓ ସିୱାଇଏସ୍‌ଡି ସହଯୋଗରେ ଆଳୁ ଚାଷ ଦିନକୁ ଦିନବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।