ଆଳୁ-ପିଆଜ ବୋଝେଇ ଗାଡିରେ ଆଣୁଥିଲେ ବ୍ରାଉନସୁଗାର

ଭୁବନେଶ୍ୱର,୧୦।୧୧(ସୂର୍ଯ୍ୟକାନ୍ତ ବେହେରା) : ଭୁବନେଶ୍ୱରରେ ଦୀର୍ଘଦିନ ଧରି ବେଆଇନ ଭାବେ ନିଶାଦ୍ରବ୍ୟ କାରବାର କରୁଥିବା ୨ ନିଶା ବେପାରୀଙ୍କୁ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ ଗ୍ରାହକ ସାଜି ଧରିବାରେ ସଫଳ ହୋଇଛି। ଏହାସହ ସେମାନଙ୍କଠାରୁ ୧ କେଜି ୧୨ ଗ୍ରାମ ବ୍ରାଉନସୁଗାର ଓ ନିଶା କାରବାରରେ ବ୍ୟବହୃତ ୨ଟି ମୋଟରସାଇକେଲ ଜବତ କରାଯାଇଛି । ଅଭିଯୁକ୍ତଦ୍ୱୟ ହେଲେ ଭରତପୁର ଥାନା ଅନ୍ତର୍ଗତ ଫୁଲେଶ୍ୱରୀ ବସ୍ତିରେ ରହୁଥିବା ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର ନିରଞ୍ଜନ ପାଟଯୋଶୀ (୩୧) ଓ ପ୍ରଦୀପ୍ତ କୁମାର ସାହୁ। ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ। ନିରଞ୍ଜନ ଜଣେ ଅଟୋ ଡ୍ରାଇଭର ହୋଇଥିବାବେଳେ ପଶ୍ଚିମବଙ୍ଗରୁ ଆଳୁ ଓ ପିଆଜ ଭର୍ତ୍ତି ଗାଡିରେ ବ୍ରାଉନସୁଗାର ଆଣି ଭୁବନେଶ୍ୱର ସମେତ ପୁରୀରେ ବିକ୍ରି କରୁଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି। ସେହିପରି ପ୍ରଦୀପ୍ତ କୁକୁଡା ଦାନା ବିକ୍ରି କରୁଥିବା ଜଣାପଡିଛି। ସେମାନେ ଏହି ବ୍ରାଉନସୁଗାର କାହାଠାରୁ ଆଣୁଥିଲେ ଓ କେଉଁମାନଙ୍କୁ ଦେଉଥିଲେ ତାହାର ଖୋଳତାଡ ଚଳାଇଛି ପୋଲିସ।

Share