ଆଳୁ ପାଇଁ ସରକାର ଅନ୍ଧାରରେ ବାଡ଼ି ବୁଲାଉଛନ୍ତି : ବିଜେଡି

ଭୁବନେଶ୍ୱର,୧୩।୮(ଅନିଲଦାସ): ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ରାଜ୍ୟରେ ଆଳୁ ସମସ୍ୟା ସୃଷ୍ଟି ହୋଇଛି ।
ଏହାର ସମାଧାନ ପାଇଁ ସରକାରଙ୍କ ପାଖରେ କୌଣସି ଯୋଜନା ନ ଥିଲା କି ଏ କ୍ଷେତ୍ରରେ କି ପଦକ୍ଷେପ ନେବେ ତା’ର ସ୍ପଷ୍ଟ ନୀତି ନାହିଁ ବୋଲି ବିଜେଡି ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି। ସୋମବାର ଶଙ୍ଖଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ସରକାର କେବଳ ଅନ୍ଧାରରେ ବାଡ଼ି ବୁଲାଉଛନ୍ତି। ଆଳୁ ମହଜୁଦକାରୀ ଯଦି କଳାବଜାର କରୁଛନ୍ତି, ତେବେ ସରକାର ଏସ୍‌ମା ଲାଗୁ କରିବା ପାଇଁ କାହିଁକି ସାହସ କରିପାରୁ ନାହାନ୍ତି। ନବୀନ ବାବୁଙ୍କ ଶାସନ କାଳରେ ଆଳୁ ବା ଅନ୍ୟାନ୍ୟ ସାମଗ୍ରୀ ପାଇଁ ଏଭଳି ସମସ୍ୟା ସୃଷ୍ଟି ହୋଇ ନ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଟେଲିଫୋନରେ କଥା ହୋଇ ଓଡ଼ିଶାକୁ ଆଳୁ ପଠାଇବା କଥା ସତ୍ୟ ନୁହେଁ । ମମତା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍‌ କରି ତାଙ୍କ ରାଜ୍ୟର ଲୋକମାନଙ୍କୁ ଓଡ଼ିଶାରେ ବାଂଲାଦେଶ ନାଗରିକ କହି ଆକ୍ରମଣ କରାଯାଉଛି ବୋଲି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭିତରେ କ’ଣ ବାର୍ତ୍ତାଳାପ ହୋଇଥିଲା ତାହା ସେ ଜାଣିନାହାନ୍ତି ବୋଲି କହିଛନ୍ତି । ତେବେ ଓଡ଼ିଶାରେ ବାସ କରୁଥିବା ଅନ୍ୟ ରାଜ୍ୟର ବାସିନ୍ଦାଙ୍କୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ଯଦି ଅନ୍ୟ କୌଣସି ଦେଶର ବାସିନ୍ଦା ଓଡ଼ିଶାରେ ଅଛନ୍ତି, ତାଙ୍କୁ ଚିହ୍ନଟ କରିବା ମଧ୍ୟ ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ସଂତୃପ୍ତ କହିଛନ୍ତି।

Share