ବିପଦକୁ ଡାକୁଛି ସ୍କୁଲ ସମ୍ମୁଖ ଗର୍ତ୍ତ

କଟକ,୪ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ଖାନ୍‌ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତା ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭକରି ଜନସାଧାରଣ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି। ତେବେ ଗ୍ୟାସ୍‌ ପାଇପ ଲାଇନ ପାଇଁ ଖୋଳାଯାଇଥିବା ଏହି ରାସ୍ତାର କାମ ୨ମାସ ପରେ ବି ଶେଷ ହୋଇପାରିନାହିଁ। ଫଳରେ ଏହି ଗର୍ତ୍ତ ପଥଚାରୀଙ୍କ ନିମନ୍ତେ ବିପଦକୁ ହାତଠାରି ଡାକିବା ସଦୃଶ ପରିଲକ୍ଷିତ ହେଉଛି।
ସୂଚନା ମୁତାବକ, ଖାନନଗର ଆଡୁ ସରକାରୀ ଛାପାଖାନାକୁ ସଂଯୋଗ କରୁଥିବା ରାସ୍ତାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ପ୍ରତ୍ୟେକ ଦିନ ଶହ ଶହ ଲୋକ ଉକ୍ତ ରାସ୍ତା ଦେଇ ଯାତାୟତ କରୁଛନ୍ତି। ଏପରିକି ବିରାଟ ଗର୍ତ୍ତଠାରୁ ସ୍କୁଲର ଦୂରତା ପ୍ରାୟ ୧୦୦ ମିଟର। ସ୍କୁଲକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମଧ୍ୟରୁ ଏହା ଅନ୍ୟତମ। ପ୍ରତିଦିନ ଶହ ଶହ ଛାତ୍ରୀଛାତ୍ର ଏହି ବାଟ ଦେଇ ଯା’ଆସ କରୁଛନ୍ତି। ରାସ୍ତାର ଏଭଳି ଅବସ୍ଥତ୍। ପିଲାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରାୟ ୧୦ରୁ ୧୫ ଫୁଟ ଓସାରର ଗାତ ଖୋଳା ହୋଇଛି। ହେଲେ ସେଠାରେ ସୁରକ୍ଷା ପାଇଁ ବାଡ଼ କିମ୍ବା କୌଣସି ବ୍ୟବସ୍ଥା ନାହିଁ। ଏପରିକି ସୂଚନା ଫଳକ ଲଗାଯାଇନାହିଁ। ଏଭଳି ସ୍ଥିତିରେ ଯଦି ଦୁର୍ଘଟଣା ଘଟେ ତେବେ ଏଥିପାଇଁ କିଏ ଦାୟୀ ହେବେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି। ରାସ୍ତା ମରାମତି ପାଇଁ ପ୍ରଶାସନ ନିକଟରେ ସ୍କୁଲ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ନିରାଶ ହେବାକୁ ପଡ଼ିଛି। ସୂଚନା ଥାଉକି, ବିଗତ ଦିନରେ ରାସ୍ତାରେ ଅନେକ ଅଘଟଣ ଘଟିଥିବାର ନଜିର ରହିଛି। କେଉଁଠି କେନାଲରେ ପଡ଼ି ଜୀବନ ଯାଇଛି ତ ଆଉ କେଉଁଠାରେ ରାସ୍ତା ପାରିହେବା ପାଇଁ ପାଇପଲାଇନ ତଳେ ଚାପିହୋଇ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଏତେ ସବୁ ପରେ ମଧ୍ୟ ପ୍ରଶାସନର ଚେତା ପଶୁନାହିଁ। ଅଘଟଣ ଘଟିଲେ ସବୁ ବିଭାଗ ପକ୍ଷରୁ ତପତ୍ରତା ଦେଖାଦେଉଛି। କିନ୍ତୁ ଅଘଟଣକୁ ଏଡ଼ାଇବା ପାଇଁ ପ୍ରଶାସନ ଆଗୁଆ ପଦକ୍ଷେପ ନ ନେବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏ ନେଇ ସିଏମ୍‌ସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Share