ବାସୁଦେବପୁର,୧୧ା୪(ନାରାୟଣ ପ୍ରସାଦ ବାରିକ୍)ଚୁଡ଼ାମଣୀ ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀ ପୋତି ହୋଇ ପଡ଼ିଲାଣି। ଫଳରେ ବୋଟ, ଲଞ୍ଚ, ଭୁଟୁଭୁଟିଗୁଡ଼ିକ ସମୁଦ୍ର ମଧ୍ୟକୁ ପ୍ରବେଶ କରିପାରୁନାହିଁ।
କାଂଶବାଂଶ ନଦୀର ଶାଖା ନଈ ଭାବେ ପରିଚିତ ଗମେଈ ନଦୀଟି ବାସୁଦେବପୁରର ବରଣ୍ଡୁଆ, ନରସିଂହପୁର, ସୁଦର୍ଶନପୁର, ଚୂଡ଼ାମଣି, ଅଢ଼ୁଅଁା, ଶାଶୁଭୁଆଶୁଣୀ ଆଦି ୬ଟି ପଞ୍ଚାୟତ ଓ ପୌରପାଳିକାର ଗୁଆଗଁା, ବଳିବିନ୍ଧା, ଭୈରବପୁର, ଗୋପାଳପୁର ଆଦି ୱାର୍ଡ଼ ମଧ୍ୟ ଦେଇ ସିଧାସଳଖ ବଙ୍ଗୋପସାଗରକୁ ଚୁଡ଼ାମଣି ମୁହାଣଠାରେ ଭେଦ କରିଛି। ଏହି ପଞ୍ଚାୟତ ଓ ୱାର୍ଡଗୁଡ଼ିକର ଚାଷୀଙ୍କ ପାଇଁ ଗମେଈ ନଦୀ ଜୀବନଧାରା ହୋଇଥିବା ବେଳେ ଚୁଡ଼ାମଣି, ଅଢ଼ୁଁଆ ଘାଟଠାରୁ ଶତାଧିକ ସଂଖ୍ୟାରେ ବୋଟ୍, ଲଞ୍ଚ, ଡଙ୍ଗା ମାଲିକ ଓ ମତ୍ସ୍ୟଜୀବୀଙ୍କ ପେଟପାଟଣାର ମୁଖ୍ୟ ଉତ୍ସ।
କିନ୍ତୁ ଏହି ନଦୀଟିକୁ ଚୁଡ଼ାମଣି ଘାଟ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୧୦ ବର୍ଷ ପୂର୍ବେ ଖନନ କରାଯାଇଥିବା ବେଳେ ଚୂଡ଼ାମଣି ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀଟି ପୋତି ହୋଇ ପଡ଼ିବା ସହିତ ଅଣଓସାରିଆ ହୋଇପଡ଼ିଛି। ଅଣଓସାରିଆ ନଦୀଟିର ଗଭୀର କମ୍ ଥିବାରୁ ଠିକ୍ ଭାବେ ବୋଟ, ଲଞ୍ଚ, ଭୁଟୁଭୁଟିଗୁଡ଼ିକ ସମୁଦ୍ର ମଧ୍ୟକୁ ପ୍ରବେଶ କରିପାରୁନାହିଁ। ବୋଟ, ଲଞ୍ଚ ଭୁଟୁଭୁଟିଗୁଡ଼ିକ ଯାଆସ କରିବା ପାଇଁ ସମୁଦ୍ର ଜୁଆରକୁ ମତ୍ସ୍ୟଜୀବୀ, ଲଞ୍ଚବୋଟ, ଭୁଟୁଭୁଟି ମାଲିକମାନେ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଚୁଡ଼ାମଣି ଜେଟିର ଅବସ୍ଥା ମଧ୍ୟ ଅତି ଶୋଚନୀୟ ଅଟେ। ଅର୍ଦ୍ଧ୍ୱଭଗ୍ନ ଓ ଜରାଜୀର୍ଣ୍ଣ ଅବସ୍ଥାରେ ଏହି ଜେଟିଟି ପଡ଼ିରହିଛି। ବର୍ତ୍ତମାନ ଚୁଡ଼ାମଣି ଜେଟି ଅଧୀନରେ ମୋଟ ୨୧୩ଟି ଗିଲନେଟ, ଭୁଟୁଭୁଟି, ଡଙ୍ଗା ପଞ୍ଜୀକୃତ ହୋଇଛି। ଏଥିମଧ୍ୟରୁ ୮୮ଟି ଯନ୍ତ୍ରଚାଳିତ ବୋଟ ଗିଲନେଟ, ୧୨୦ଟି ଭୁଟୁଭୁଟି, ୨ଟି ଦେଶୀ ଡଙ୍ଗା ଥିବା ବେଳେ ଏସବୁ ଗିଲନେଟ, ଭୁଟୁଭୁଟି, ଡଙ୍ଗା ସମୁଦ୍ରକୁ ଠିକ୍ ଭାବେ ଯାଆସ କରିପାରୁ ନାହଁାନ୍ତି। ଗମେଈ ନଦୀର ଅଧିକାଂଶ ଭାଗ ମୁହାଣ ପର୍ଯ୍ୟନ୍ତ ପୋତି ହୋଇପଡ଼ିଥିବାରୁ ମତ୍ସ୍ୟଜୀବୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏନେଇ ଚୁଡ଼ାମଣି ଟ୍ରେଲର ମାଲିକ ସଂଘ ସମ୍ପାଦକ ଶଶୀକାନ୍ତ ନାୟକଙ୍କୁ ପଚାରିବାରୁ ଗମେଈ ନଦୀର ଉକ୍ତ ଅଞ୍ଚଳ ଖନନ ପାଇଁ ବାରମ୍ବାର ସଂଘ ପକ୍ଷରୁ ଦାବି କରାଯାଉଥିବା ବେଳେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୧୫ ହଜାରରୁ ଊର୍ଦ୍ଧ୍ୱ ମସତ୍ୟଜୀବୀ ପରିବାର କ୍ଷତିରେ ପଡ଼ୁଛନ୍ତି। ମତ୍ସ୍ୟଜୀବୀଙ୍କ ମୌଳିକ ସମସ୍ୟାକୁ ସମାଧାନ କରାଗଲେ ମତ୍ସ୍ୟଜୀବୀ ପରିବାରମାନେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି। ଏ ସମ୍ପର୍କରେ ସାମୁଦ୍ରିକ ସହକାରୀ ମତ୍ସ୍ୟ ଅଧିକାରୀ ଜଗଦୀଶ ବାରିକଙ୍କୁ ପଚାରିବାରୁ ଚୁଡ଼ାମଣି ଜେଟିର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଉଦ୍ୟମ କରାଯାଉଛି। ପୋତି ହୋଇ ପଡ଼ିଥିବା ନଦୀକୁ ଖନନ କରାଗଲେ ବୋଟ, ଲଞ୍ଚ, ଭୁଟୁଭୁଟିଗୁଡ଼ିକ ଯିବା ଆସିବା କରିବା ଅଧିକ ସହଜ ହୋଇପାରନ୍ତା ବୋଲି କହିଛନ୍ତି।