ଶୀତତାପ ନିୟନ୍ତ୍ରିତ ଘରେ କୁକୁଡ଼ାଚାଷ

ଅସ୍ତରଙ୍ଗ, ୧୨।୧୦ (ପ୍ରଦୀପ୍ତ କୁମାର ଦୀକ୍ଷିତ)ଦୃଢ଼ ଇଚ୍ଛା ଶକ୍ତି ଦ୍ୱାରା କୁକୁଡ଼ା ଫାର୍ମ କରି ଉଦାହରଣ ସାଜିଲେ ମହିଳା ଉଦ୍ୟୋଗୀ। ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ କୋରଣା ପଞ୍ଚାୟତ ତିରିକଣା ଗ୍ରାମରେ ନୂତନ ଜ୍ଞାନକୌଶଳରେ ଆରମ୍ଭ ହୋଇଛି କୁକୁଡ଼ା ଚାଷ। ମହିଳା ଉଦ୍ୟୋଗୀ ସ୍ବାଧୀନ ନାୟକ ନିଜର ୧୫ ଗୁଣ୍ଠ ଅଞ୍ଚଳରେ ଚିକେନ ଭ୍ୟାଲି ପ୍ରକଳ୍ପ ଜରିଆରେ ବାଛିଛନ୍ତି ଏଭଳି ରୋଜଗାରର ବିକଳ୍ପ ବ୍ୟବସ୍ଥା। ଶୀତତାପ ନିୟନ୍ତ୍ରିତ ଘରେ ବଢୁଛନ୍ତି ୧୦ ହଜାର କୁକୁଡ଼ା। ଖାଦ୍ୟ, ପାଣି ଅଟୋମେଟିକ ଭାବେ ଉପଲବ୍ଧ ହେଉଛି। ଏଭଳି ଇସି ଫାର୍ମ ବା ଏନଭାରମେଣ୍ଟ କଣ୍ଟ୍ରୋଲ ଫାର୍ମ ଅଧିକ ଲାଭଦାୟକ ବୋଲି କହିଛନ୍ତି ସ୍ବାଧୀନଙ୍କ ସ୍ବାମୀ କର୍ଣ୍ଣ ନାୟକ। ସବୁ ଖର୍ଚ୍ଚ ବାଦ୍‌ ୩୫ ଦିନରେ ସେ ୨ଲକ୍ଷ ୮୦ ହଜାର ଟଙ୍କା ଲାଭ କରୁଥିବା ସ୍ବାଧୀନ କହିଛନ୍ତି। ସ୍ବାଧୀନଙ୍କ ପୁଅ ଅସ୍ତରଙ୍ଗର ଏକ କଲେଜ ଲ୍ୟାବ୍‌ ବିଭାଗରେ ଚାକିରି କରିଥିବା ବେଳେ ସେଥିରୁ ସମୟ ବାହାର କରି ମା’ଙ୍କ କୁକୁଡ଼ା ଫାର୍ମ କଥା ବୁଝିଥାନ୍ତି। ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ସହାୟତା ପାଇବା ପରେ ସ୍ବାଧୀନ ଅସ୍ତରଙ୍ଗ ଅଞ୍ଚଳରେ ସଫଳ ଉଦ୍ୟୋଗୀ ଭାବରେ ନିଜର ପରିଚୟ ହାସଲ କରିଛନ୍ତି। ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରିବାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଛି।

Share