ଦାରିଦ୍ର୍ୟ ଓ ବୈଷମ୍ୟ ବୃଦ୍ଧି ପାଉଛି

ଡ. ସନ୍ତୋଷ କୁମାର ମହାପାତ୍ର

ସମ୍ପ୍ରତି ଭାରତରେ ଉଦାରୀକରଣ ପ୍ରକ୍ରିୟା କାର୍ଯ୍ୟକାରୀ ହେବାର ୩୦ ବର୍ଷ ପୂରଣ ହୋଇଛି। ଏହି ଉପଲକ୍ଷେ ଏହାର ପ୍ରଭାବକୁ ନେଇ ଆଲୋଚନା, ତର୍କବିତର୍କ ଦେଖାଦେଇଛି। ଗତ ଜୁଲାଇ ୩୧ରେ ଅଶୋକା ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ସମ୍ବୋଧିତ କରି ବିଶିଷ୍ଟ ଅର୍ଥନୀତିଜ୍ଞ, ନୋବେଲ ବିଜେତା, ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅର୍ଥନୀତି ଏବଂ ଗଣିତ ପ୍ରଫେସର ଏରିକ୍‌ ମାସ୍କିନ୍‌ କହିଛନ୍ତି ଯେ, ଗତ ତିନି ଦଶନ୍ଧିରେ ଜଗତୀକରଣ ଯୋଗୁ ଭାରତର ଜିଡିପି ତିନିଗୁଣ ହୋଇଛି, କିନ୍ତୁ ଦେଶର ଶ୍ରମିକମାନେ ଏହାର ସୁଫଳରୁ ବଞ୍ଚତ୍ତ ହୋଇଛନ୍ତିି। ମଜୁରିଜନିତ ଅସମାନତା ତୀବ୍ର ହୋଇଛି। ବିକାଶଶୀଳ ଦେଶରେ ବୈଷମ୍ୟ ବୃଦ୍ଧି ଚିନ୍ତାଜନକ ବୋଲି ସେ କହିଛନ୍ତି। ମହାମାରୀ ସମସ୍ୟା ଅପେକ୍ଷା ଆୟ ବୈଷମ୍ୟ ବୃଦ୍ଧି ସମସ୍ୟାର ସମାଧାନ କରିବା ଅଧିକ କଷ୍ଟସାଧ୍ୟ ହେବ ବୋଲି ସେ କହିଛନ୍ତି।
ଏ କଥା ସତ ଯେ, ଜଗତୀକରଣ ଯୋଗୁ ଶ୍ରମିକମାନେ ଉପକୃତ ହୋଇନାହାନ୍ତି, ମଜୁରି ଅସମାନତା ବୃଦ୍ଧି ପାଇଛି, କିନ୍ତୁ ଜିଡିପି ତିନିଗୁଣ ବୃଦ୍ଧି ପାଇଛି ବୋଲି କହିବା ଯୁକ୍ତିଯୁକ୍ତ ହେବ ନାହିଁି। ଜିଡିପି ବୃଦ୍ଧି ଆର୍ଥିକ ସଂସ୍କାର ପୂର୍ବରୁ ୮୦ ଦଶକରୁ ତ୍ୱରାନ୍ବିତ ହୋଇଥିଲା। ୫୦ ଦଶକରେ ଏହା ୩.୬% , ୬୦ ଦଶକରେ ୪%, ୭୦ ଦଶକରେ ୨.୯ % ଥିଲାବେଳେ ୮୦ ଦଶକରେ ୫.୫୭%କୁ ବୃଦ୍ଧି ପାଇଥିଲା। ଉଦାରୀକରଣ ପରେ ୯୦ ଦଶକରେ ଏହା ୫.୫୯% ହୋଇଥିଲା। ଏହାପରେ ୨୦୦୦-୨୦୧୦ ମଧ୍ୟରେ ହାରାହାରି ୫.୯୬% ଏବଂ ୨୦୧୦-୨୦୨୦ ମଧ୍ୟରେ ନିମ୍ନଗାମୀ ହୋଇ ହାରାହାରି ୫.୦୫% ହୋଇଛି। ୨୦୨୦-୨୧ରେ ବିଯୁକ୍ତାତ୍ମକ ୭.୩% ହୋଇଛି। ଏଥିପାଇଁ କରୋନା ମହାମାରୀକୁ ଦାୟୀ କରାଯାଇପାରେ। କିନ୍ତୁ ୨୦୧୬-୧୭ରୁ ଜିଡିପି କ୍ରମାଗତ ଭାବରେ ହ୍ରାସ ପାଇଛି। ଜିଡିପି ଅଭିବୃଦ୍ଧି ହାର ଯାହା ୨୦୧୬-୧୭ରେ ୮.୩% ଥିଲା, ତାହା ୨୦୧୭-୧୮ରେ ୬.୮% , ୨୦୧୮-୧୯ରେ ୬.୫%, ୨୦୧୯-୨୦ରେ ୪%କୁ ହ୍ରାସ ପାଇଛି। ବିଶ୍ୱରେ ୨୦୧୯ରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତିର ମାନ୍ୟତା ପାଇଥିଲା ବେଳେ ୨୦୨୦ରେ ଷଷ୍ଠ ସ୍ଥାନକୁ ଖସିଆସିଛି।
ଉଦାରୀକରଣ ପୂର୍ବରୁ ଭାରତ ଇତିହାସରେ ୧୯୮୮-୮୯ରେ ସର୍ବାଧିକ ଜିଡିପି ଅଭିବୃଦ୍ଧି ୧୦.୨୦% ହୋଇଥିଲା। ଉଦାରୀକରଣ ପରେ ସର୍ବାଧିକ ଅଭିବୃଦ୍ଧି ଉପା ସରକାର ଅମଳରେ ହାସଲ ହୋଇଥିଲା। ସେହି ସମୟରେ ଉଦାରୀକରଣ ପ୍ରକ୍ରିୟା ଅନ୍ଧାଧୁନିଆ ହୋଇନଥିଲା ଏବଂ ପୁଞ୍ଜି ପ୍ରତ୍ୟାହାର ପ୍ରାୟତଃ ନ ଥିଲା; କିନ୍ତୁ ସେ ସମୟରେ ଭାରତୀୟ ଅର୍ଥନୀତି ଭଲ ପ୍ରଦର୍ଶନ କରିଥିଲା। ୨୦୦୬-୦୭ରେ ଭାରତୀୟ ଅର୍ଥନୀତି ୧୦.୦୮% (ନୂତନ ସିରିଜ୍‌), ୯.୫୭% (ପୁରୁଣା ସିରିଜ୍‌) ବୃଦ୍ଧି ପାଇଥିଲା। ୨୦୧୦-୧୧ରେ ମଧ୍ୟ ୧୦.୭୮% ବୃଦ୍ଧି ପାଇଥିଲା। ଜିଡିପି ବୃଦ୍ଧି ହେବାର ମୁଖ୍ୟ କାରଣ ହେଲା ଜନସଂଖ୍ୟା ବୃଦ୍ଧି। ଜନସଂଖ୍ୟା ବୃଦ୍ଧି ଯୋଗୁ ସାମଗ୍ରିକ ଭାବେ ଦେଶରେ ଆୟ, ବ୍ୟୟ ଉତ୍ପାଦନ, ସଞ୍ଚୟ, ନିବେଶ ବୃଦ୍ଧି ପାଇଛି। ବାସ୍ତବରେ ଆମଦାନୀ, ରପ୍ତାନି ବୃଦ୍ଧି, ଅଟୋମୋବାଇଲ, ରିଏଲ ଇଷ୍ଟେଟ, ସେବା କ୍ଷେତ୍ରର ବୃଦ୍ଧି ଏବଂ ବୈଦ୍ୟୁତିକ ସାମଗ୍ରୀର ବହୁଳ ବ୍ୟବହାର ହେତୁ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧିପାଇଛି ଏବଂ ଅଧିକ ଅଭିବୃଦ୍ଧି ହୋଇଛି। କିନ୍ତୁ ଜିଡିପି ବୃଦ୍ଧି ଅନୁସାରେ ପ୍ରାକୃତିକ ସମ୍ପଦ ହ୍ରାସପାଇଛି, ପରିବେଶର ଅବକ୍ଷୟ ହୋଇଛି, ପ୍ରଦୂଷଣ ବୃଦ୍ଧି ପାଇଛି। ବିଭିନ୍ନ ଭୟଙ୍କର ରୋଗ ଦ୍ୱାରା ଲୋକ ଆକ୍ରାନ୍ତ ହେଉଛନ୍ତି।
ଏରିକ୍‌ ମାସ୍କିନ୍‌ ପୁନଶ୍ଚ କହିଛନ୍ତି ଯେ, ମୁଣ୍ଡପିଛା ଜିଡିପି ସମୃଦ୍ଧିର ପ୍ରତୀକ ଏବଂ ତାହା ଭାରତରେ ଚମତ୍କାର ଭାବରେ ବୃଦ୍ଧି ପାଇଛି। କିନ୍ତୁ ମୁଣ୍ଡପିଛା ଆୟ ଦୃଷ୍ଟିରୁ ବିଶ୍ୱରେ ଭାରତ ୧୪୫ତମ ସ୍ଥାନରେ ରହିଛି। ଲଜ୍ଜାକର ବିଷୟ ହେଉଛି, ଆମେ ବାଂଲାଦେଶ ପଛରେ ଅଛୁ। ଆମେ ଚାଇନା ସହିତ ତୁଳନା କରୁ, କାରଣ ଉଭୟ ଦେଶର ଜନସଂଖ୍ୟା ଅଧିକ। ୧୯୮୭ରେ ଉଭୟ ଦେଶର ନାମାଙ୍କନ ଜିଡିପି ପ୍ରାୟ ସମାନ ଥିଲା। ୧୯୯୦ରେ ଚାଇନା ଭାରତଠାରୁ ଟିକେ ଆଗରେ ଥିଲା। ବର୍ତ୍ତମାନ ୨୦୨୦ ମସିହାରେ ଚାଇନାର ଜିଡିପି (୧୪.୭ ଟ୍ରିଲିୟନ ଡଲାର) ଭାରତ ଜିଡିପି (୨.୬୩ ଟ୍ରିଲିୟନ ଡଲାର) ତୁଳନାରେ ୫.୫.୮ ଗୁଣା ଅଧିକ। ଭାରତ ଏତେ ଆତ୍ମନିର୍ଭରଶୀଳ ହୋଇଛିଯେ, ଘରେ ଘରେ ଚାଇନାର କିଛିନା କିଛି ଦ୍ରବ୍ୟ ଦେଖିବାକୁ ମିଳିବ।
ମାସ୍କିନ୍‌ ଜଗତୀକରଣକୁ ସମର୍ଥନ କହିଛନ୍ତି। କିନ୍ତୁ ଜଗତୀକରଣର ସମର୍ଥକମାନେ ଯେଉଁ ଯୁକ୍ତି କରୁଥିଲେଯେ ଏହା ବୈଷମ୍ୟ ହ୍ରାସ କରିବ, ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ବାସ୍ତବରେ ଭାରତରେ ୨୦୦୯ରୁ ୨୦୨୦ ମଧ୍ୟରେ ବିଲିୟନେୟାରଙ୍କ ସମ୍ପଦ ୯୦% ବୃଦ୍ଧି ପାଇ ୪୨୨.୯ ବିଲିୟନ ଡଲାରରେ ପହଞ୍ଚତ୍ଛି। ଅକ୍ସଫାମ୍‌ର ୨୦୨୦ ରିପୋର୍ଟ ଅନୁସାରେ ଭାରତର ସବୁଠାରୁ ଧନୀ ୧%ଙ୍କ ସମ୍ପଦ ଦେଶର ୯୫.୩ କୋଟି ଲୋକଙ୍କ ସମ୍ପଦର ଚାରି ଗୁଣାରୁ ଅଧିକ, ଯେଉଁମାନେ ଦେଶର ଜନସଂଖ୍ୟାର ୭୦%। ସମସ୍ତ ଭାରତୀୟ ବିଲିୟନେୟାରଙ୍କ ମୋଟ ସମ୍ପଦ ଏକ ବର୍ଷର ବଜେଟ ଆକାରଠାରୁ ଅଧିକ ଥିଲା। କ୍ରେଡିଟ୍‌ ସୁଇସର ୧୨ଶ ସମ୍ପଦ ରିପୋର୍ଟ ଅନୁସାରେ ଶୀର୍ଷ ୧% ଧନୀଙ୍କ ସମ୍ପଦ ଦେଶର ମୋଟ ସମ୍ପଦ ଅଂଶରେ ୨୦୦୦ରେ ୩୩.୫% ଥିଲା। ତାହା ୨୦୨୦ରେ ପୁନଶ୍ଚ ୪୦.୫%କୁ ବୃଦ୍ଧି ପାଇଛି। ଭାରତ ବିଶ୍ବରେ ବ୍ରାଜିଲ ପରେ ଦ୍ୱିତୀୟ ସର୍ବାଧିକ ବୈଷମ୍ୟପୂର୍ଣ୍ଣ ଦେଶ। ଅକ୍ସଫାମ୍‌ ଅସମାନତା ସୂଚକାଙ୍କ ଅନୁସାରେ, ଶ୍ରମିକଙ୍କ ଅଧିକାର ଦୃଷ୍ଟିରୁ ଭାରତ ୧୫୮ଟି ଦେଶ ମଧ୍ୟରେ ୧୫୧ ସ୍ଥାନରେ ରହିଛି। କେବଳ ଅସମାନତା ହ୍ରାସ କରିବା ଦୃଷ୍ଟିରୁ ୧୫୮ଟି ଦେଶ ମଧ୍ୟରୁ ୧୪୧ ସ୍ଥାନରେ ରହିଛି। ଜାନୁୟାରୀ ୨୦୨୦ରେ ପ୍ରକାଶିତ ବିଶ୍ୱ ଅର୍ଥନୈତିକ ଫୋରମର ଗ୍ଲୋବାଲ ସୋସିଆଲ ମୋବିଲିଟି ରିପୋର୍ଟ ଅନୁଯାୟୀ ଭାରତରେ ଏକ ଗରିବ ପରିବାରର ସଦସ୍ୟ ହାରାହାରି ଆୟ ହାସଲ କରିବାକୁ ୭ ପିଢ଼ି ଅପେକ୍ଷା କରିବାକୁ ପଡ଼ିବ।
୨୦୨୦-୨୧ରେ ଅଭିବୃଦ୍ଧି ବିଯୁକ୍ତାତ୍ମକ ହେଲାବେଳେ କିଛି ମୁଷ୍ଟିମେୟ ଧନୀ, କର୍ପୋରେଟ୍‌, ପୁଞ୍ଜିପତିଙ୍କ ସମ୍ପଦ ବୃଦ୍ଧି ପାଇବା ଅର୍ଥ ଅନେକଙ୍କ ସମ୍ପଦ ହ୍ରାସ ପାଇଛି ଏବଂ ଅନେକ ଆହୁରି ଗରିବ ହୋଇଛନ୍ତି। ଏପରିକି ମହାମାରୀ ପୂର୍ବରୁ ଦାରିଦ୍ର୍ୟ ବୃଦ୍ଧିପାଇଛି। ୨୦୦୪-୦୫ ଦାରିଦ୍ର୍ୟ ଅନୁପାତ ୩୭.୨% ଥିଲା ଏବଂ ୪୦.୭୨ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। ଉପଭୋକ୍ତା ଖର୍ଚ୍ଚ ସର୍ବେକ୍ଷଣ ଅନୁଯାୟୀ, ୨୦୧୧-୧୨ରେ ଦାରିଦ୍ର୍ୟ ଅନୁପାତ ୨୧.୯%କୁ ଏବଂ ଗରିବଙ୍କ ସଂଖ୍ୟା ୨୫.୯ କୋଟି ଲୋକକୁ ହ୍ରାସ ପାଇଥିଲା। ୨୦୧୧-୧୨ ପରଠାରୁ ଗ୍ରାହକ ଖର୍ଚ୍ଚ ସର୍ଭେ ହୋଇନାହିଁ। ଏଣୁ, ସନ୍ତୋଷ ମେହେରୋତ୍ରା ଏବଂ ଯଯାତି କେଶରୀ ପରିଡ଼ା ପର୍ଯ୍ୟାୟ ଶ୍ରମ ଶକ୍ତି ସର୍ଭେ ଅଧ୍ୟୟନ କରି ଜାଣିବାକୁ ପାଇଲେଯେ, ୨୦୧୯-୨୦ରେ ଦାରିଦ୍ର୍ୟ ଅନୁପାତ ୨୬.୯୮%କୁ ବୃଦ୍ଧି ପାଇଥିବାବେଳେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୩୪.୮ କୋଟିକୁ ବୃଦ୍ଧି ପାଇଛି। ଅବଶ୍ୟ ଭାରତରେ ଯେଉଁ ଦାରିଦ୍ର୍ୟ ସୀମାରେଖାର ମାନଦଣ୍ଡ ଧାର୍ଯ୍ୟ କରାଯାଇଛି, ତାହା ଅନାହାର ରେଖା କହିଲେ ଭୁଲ ହେବ ନାହିଁ। ଏଣୁ ସରକାରୀ ତଥ୍ୟ ଅନୁସାରେ ଆହୁରି ବେଶି ଲୋକ ଗରିବ ଅଟନ୍ତି। ଗ୍ରାମୀଣ ଭାରତରେ ଦାରିଦ୍ର୍ୟ ମୁଖ୍ୟତଃ ବୃଦ୍ଧି ପାଇଛି। ଉଲ୍ଲେଖନୀୟ ଯେ, ୨୦୧୯-୨୦ ସୁଦ୍ଧା ଦାରିଦ୍ର୍ୟ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଯଥେଷ୍ଟ ବୃଦ୍ଧି ପାଇଲା, କିନ୍ତୁ ଗ୍ରାମାଞ୍ଚଳରେ ଏହା ଅଧିକ ଅର୍ଥାତ୍‌ ୨୫%ରୁ ୩୦%କୁ ବୃଦ୍ଧି ପାଇଛି।
କଲମ୍ବିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ତଥା ଅର୍ଥନୀତିରେ ନୋବେଲ ପୁରସ୍କାରପ୍ରାପ୍ତ ଯୋଶେଫ ଷ୍ଟିଗ୍‌ଲିଜଙ୍କ ଅନୁଯାୟୀ, ଦେଶ-ଦେଶ ମଧ୍ୟରେ ଏବଂ ଦେଶ ଭିତରେ ଦାରିଦ୍ର୍ୟ ବୃଦ୍ଧି ପାଇଛି ଏବଂ ଅସମାନତା ତ୍ୱରାନ୍ବିତ ହେଉଛି। ବୈଷମ୍ୟ ବୃଦ୍ଧି ଅତ୍ୟନ୍ତ ବିପଜ୍ଜନକ ବୋଲି ସେ ସତର୍କ କରିଦେଇଛନ୍ତି, ଯାହା ଅପରାଧଠାରୁ ଆରମ୍ଭ କରି ପ୍ରତିକ୍ରିୟାଶୀଳ ଜାତୀୟତା ପର୍ଯ୍ୟନ୍ତ ସବୁକିଛି ଉପରେ କୁପ୍ରଭାବ ପକାଇବ। ମାସ୍କିନ୍‌ଙ୍କ ମତରେ, ବୈଷମ୍ୟ ବୃଦ୍ଧି ସାମାଜିକ ଏବଂ ରାଜନୈତିକ ଅସ୍ଥିରତା ବୃଦ୍ଧି କରିଥାଏ। ଏଣୁ ଖାଲି ଜିଡିପି ବୃଦ୍ଧି ପଛରେ ଧାଇଁବା ଅନୁଚିତ। ଧନିକ ଶ୍ରେଣୀ ଉପରେ ଉତ୍ତରାଧିକାରୀ, ସମ୍ପଦକର ଧାର୍ଯ୍ୟ କରି ଯେଉଁ ସମ୍ବଳ ସୃଷ୍ଟିହେବ, ତାହାକୁ ଶିକ୍ଷା, ସ୍ବାସ୍ଥ୍ୟ, ଜନହିତକର କାର୍ଯ୍ୟରେ ବ୍ୟୟ କରିବା ଉଚିତ। ଲୋକଙ୍କ ଜୀବନ ଧାରଣର ମାନରେ ଉନ୍ନତି ଆଣିବା ଜରୁରୀ।
ମୋ:୯୪୩୭୨୦୮୭୬୨
Email: skmohapatra67@gmail.com