Categories: ଜାତୀୟ

ଶିବସେନା ଭାଙ୍ଗିବାରେ ପଓ୍ବାରଙ୍କ ହାତ, ନୂଆ ଅଭିଯୋଗ…

ମୁମ୍ବାଇ, ୧୩।୭ : ମହାରାଷ୍ଟ୍ରର ରାଜନୈତିକ ଯୁଦ୍ଧରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏକନାଥ ଶିନ୍ଦେଙ୍କ ଦଳର ମୁଖପାତ୍ର ଦୀପକ କେସରକର କହିଛନ୍ତି ଯେ ଶିବସେନା ଭାଙ୍ଗିବା ପଛରେ ଶରଦ ପୱାରଙ୍କ ହାତ ରହିଛି।

ନାରାୟଣ ରାଣେ ଏବଂ ରାଜ ଠାକରେଙ୍କ ବିଦ୍ରୋହ ସମ୍ପର୍କରେ ସେ କହିଛନ୍ତି ଯେ ଏହି ନେତାଙ୍କ ପଛରେ ଶରଦ ପୱାର ଥିଲେ।  ଏବେ ଶରଦ ପୱାର ବାଲାସାହେବ ଠାକରେଙ୍କ ସମ୍ମାନ ବିଷୟରେ କହୁଛନ୍ତି। ସେ ମହାରାଷ୍ଟ୍ରର ଲୋକଙ୍କୁ ଉତ୍ତର ଦେବା ଉଚିତ ଯେ ବାଲାସାହେବ ଠାକରେଙ୍କୁ ଜୀବିତ ଥିବାବେଳେ କାହିଁକି ପ୍ରତାରିତ କରାଯାଇଥିଲା।

ଏକ ମରାଠୀ ଚ୍ୟାନେଲ ସହ  ବାର୍ତ୍ତାଳାପରେ ଶରଦ ପୱାରଙ୍କ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଶିବସେନା ଏବଂ ଏନସିପି ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ବିଷୟରେ ସେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ପୱାର ନାରାୟଣ ରାଣେଙ୍କୁ ଶିବସେନାରୁ ବାହାର କରିବାରେ ସାହାଯ୍ୟ କରିଥିଲେ। ଛଗନ ଭୁଜବଲଙ୍କୁ ଶରଦ ପୱାର ନିଜେ ଶିବସେନାରୁ ବାହାର କରିଥିବା ସେ ଅଭିଯୋଗ କରିଛନ୍ତିି। ଏହା ବ୍ୟତୀତ ରାଜ ଠାକରେଙ୍କ ପଛରେ ମଧ୍ୟ ତାଙ୍କର ସମର୍ଥନ ଥିଲା। ପଓ୍ବାର ଶିବସେନାକୁ ଦୁଇ ଥର ଭାଙ୍ଗିଥିବା ଦୀପକ ଅଭିଯୋଗ କରିଛନ୍ତି।

ମହାରାଷ୍ଟ୍ର ରାଜନୀତିରେ ଶରଦ ପୱାରଙ୍କର ଏକ ବଡ଼ ସ୍ଥିତି ରହିଛି ଏବଂ ଏକନାଥ ଶିନ୍ଦେ ଦଳ ଦ୍ୱାରା ତାଙ୍କ ଉପରେ ସିଧାସଳଖ ସମାଲୋଚନା ଦ୍ୱାରା ଏକ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ତେବେ କେସରକରଙ୍କ ଅଭିଯୋଗକୁ ନେଇ ଏପର୍ଯ୍ୟନ୍ତ ଏନସିପି ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନାହିଁ।

ବାଲାସାହେବ ଠାକରେଙ୍କୁ ମନେ ପକାଇ କେସରକର କହିଛନ୍ତି, ବାଲାସାହେବ କଂଗ୍ରେସ-ଏନସିପି ସହ ଯିବାକୁ ରାଜି ହୋଇ ନ ଥିଲେ। ବାଲାସାହେବ  କହୁଥିଲେ ଯେ ମୁଁ ମୋ ଦଳର ଶେଷ ବ୍ୟକ୍ତି ହେଲେ  ବି କଂଗ୍ରେସ ସହିତ ଯିବି ନାହିଁ। ଏକନାଥଙ୍କ ସମର୍ଥକ ନେତା କହିଛନ୍ତି ଯେ ସେଥିପାଇଁ ଶିବ ସୈନିକମାନେ କେବେହେଲେ ଶରଦ ପାୱାରଙ୍କ ସହ ରହିବେ ନାହିଁ।

ଦୀପକଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ମହାରାଷ୍ଟ୍ର ରାଜନୀତିରେ ନୂଆ ଅଭିଯୋଗର ଅଧ୍ୟାୟ ଆରମ୍ଭ ହେବା ଅନୁମାନ କରାଯାଉଛି।

Share