ଦିନତମାମ କଟୁଛି

କାଳିଆପାଣି,୧୨ା୬(ଡି.ଏନ.ଏ.): ଚଳିତବର୍ଷ ଗ୍ରୀଷ୍ମ ପ୍ରବାହ ବଢ଼ିଥିବାବେଳେ ବିଦ୍ୟୁତ୍‌ର ଲୁଚକାଳି ଖେଳ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ୮ଦିନ ହେବ ଦିନତମାମ ବିଦ୍ୟୁତ୍‌ ଉଭାନ ହୋଇଯାଉଛି। ବିଭାଗ ଉପଭୋକ୍ତାଙ୍କ ଉପରେ ଏକ ପ୍ରକାର ଜୁଲମ କରୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଡୁବୁରି ବିଦ୍ୟୁତ୍‌ ସେକ୍ସନରୁ ସୁକିନ୍ଦାଠାରୁ ରାଁସୋଳ ପାଞ୍ଚାୟତର କଲରଙ୍ଗୀ ଗ୍ରାମ ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ୨୦୦୨ରେ ସମ୍ପୃକ୍ତ ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିବାବେଳେ ଅନେକ ସ୍ଥାନରେ ଏବେ ବି ବିଦ୍ୟୁତ୍‌ ଖୁଣ୍ଟ ଅଧା ଢଳି ରହିଛି। ଟାଟା ପାୱାର ଆନୁଷଙ୍ଗିକ ମରାମତି କରିବା ବଦଳରେ ଉପଭୋକ୍ତାଙ୍କଠାରୁ ବକେୟା ଆଦାୟରେ ଜୁଲୁମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଭାଗ ପକ୍ଷରୁ ଉପଭୋଗଙ୍କୁ ସେବା ଯୋଗାଣରେ ବ୍ୟତୀକ୍ରମ କରାଯାଉଛି। ୮ ଦିନ ଧରି ବିଦ୍ୟୁତ୍‌ କାଟ୍‌ ଏହାର ଉଦାହରଣ ହୋଇଛି। ବିଭାଗ ୮ ଦିନ ହେବ ରାତିରୁ ସକାଳ ୮ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ଦେଉଥିବାବେଳେ ଦିନତମାମ କାଟି ଦେଉଛି। କୂଅପୋଖରୀରେ ଜଳ ନ ଥିବାରୁ ସମସ୍ତେ ଡହଳବିକଳ ହେଉଛନ୍ତି। ସେହିପରି ଲୋକେ ଘରରେ ରହି ନ ପାରି ଗଛମୂଳରେ ମୁଣ୍ଡ ଗୁଞ୍ଜୁଥିବା ଦେଖିବାକୁ ମିଳିଛି। ଲାଇନ୍‌ କଟିବା ନେଇ ବିଭାଗର କର୍ମଚାରୀଙ୍କୁ ପଚାରିଲେ ମେନଲାଇନ କଟିଥିବା ବାହାନା କରୁଛନ୍ତି। ତେବେ ୮ଦିନ ଲଗାତର ସମାନ ସମୟରେ ବିଦ୍ୟୁତ୍‌କାଟକୁ ଉପଭୋକ୍ତା ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଏହାର ସମାଧାନ ନ ହେଲେ ଆଗାମୀଦିନରେ ବିଦ୍ୟୁତ୍‌ ବିଭାଗ ଅଫିସ ଘେରାଉ କରାଯିବ ବୋଲି ସାମାଜିକ କର୍ମୀ ଦିଲୀପ ପାତ୍ର, ରବୀନ୍ଦ୍ର ଭଞ୍ଜ, ଦିଲୀପ ମହାନ୍ତ ଓ ମିତାଲି ମୁଣ୍ଡା ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ସୁକିନ୍ଦା ବିଦ୍ୟୁତ୍‌ ବିଭାଗର ଏସଡିଓ ବିଭୁଦତ୍ତ ସାହୁଙ୍କୁ ଫୋନ୍‌ ଦ୍ୱାରା ଯୋଗଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ପାରିନାହିଁ।

Share