ଗ୍ରୀଷ୍ମ ଯନ୍ତ୍ରଣା ବଢ଼ାଉଛି ବିଦ୍ୟୁତ୍‌ କାଟ

ଅନୁଗୋଳ ଅଫିସ, ୧୭।୫: ଅସହ୍ୟ ଗ୍ରୀଷ୍ମ ପ୍ରବାହ ବେଳେ ଘନ ଘନ ହେଉଛି ବିଦ୍ୟୁତ୍‌ କାଟ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା ସତ୍ତ୍ୱେ ଆସୁନି କରେଣ୍ଟ। ଫଳରେ ଗରମ ଓ ଗୁଳୁଗୁଳିରେ ଅଥୟ ହୋଇପଡ଼ୁଛି ଜନଜୀବନ। ଗ୍ରାମାଞ୍ଚଳ ତ ଦୂରର କଥା ଅନୁଗୋଳ ସହରରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ ଗାଏବ ହୋଇଯିବା ସହରବାସୀଙ୍କ ଚିନ୍ତାର କାରଣ ହୋଇଛି। ଯେଉଁ ସମୟରେ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ କରାଯିବା କଥା, ସେହି ସମୟରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଗ୍ରୀଷ୍ମ ଯନ୍ତ୍ରଣାକୁ ଅଧିକ ବଢ଼ାଇ ଦେଉଛି।
ଅନୁଗୋଳରେ ଗତ ୩ ଦିନ ହେବ ତାପମାତ୍ରା ଅଧିକ ରହୁଛି। ଆକାଶରୁ ଅଗ୍ନିବର୍ଷା ହେଲା ଭଳି ଲୋକଙ୍କୁ ଅନୁଭବ ହେଉଛି। ମଙ୍ଗଳବାର ଅନୁଗୋଳର ତାପମାତ୍ରା ୪୨.୭ ଡିଗ୍ରୀ ରହିଥିଲା। ମଧ୍ୟାହ୍ନ ୧୨ଟା ବେଳକୁ ସହର ତତଲା କଡ଼େଇ ପାଲଟିଯାଇଥିଲା। ରାସ୍ତାରେ ଯାତାୟାତ କରିବା ମୁସ୍କିଲ ହୋଇ ପଡ଼ିଥିଲା। ଫଳରେ ଅଧିକାଂଶ ରାସ୍ତା ଖଁା ଖଁା ରହିଥିଲା। ଏପରି ସମୟରେ ବିଦ୍ୟୁତ୍‌ କଟିଯିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ସହରବାସୀଙ୍କ କହିବା ଅନୁଯାୟୀ, ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ୟୋଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏପରି ସମୟରେ ବିଦ୍ୟୁତ୍‌ର ଆବଶ୍ୟକତା ଅଧିକ ବଢ଼ିଯାଉଛି। ହେଲେ ସହରରେ ବିଭିନ୍ନ ସମୟରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ସାଙ୍ଗକୁ ଲୋ ଭୋଲଟେଜ୍‌ ଗ୍ରୀଷ୍ମ ଯନ୍ତ୍ରଣାକୁ ବହୁଗୁଣିତ କରିଦେଉଛି। ପୂର୍ବରୁ କୌଣସି ସୂଚନା ପ୍ରଦାନ କରା ନ ଯାଇ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ କରାଯାଉଛି। ସୋମବାର ରାତିରେ ବିଜୁଳି ଲୁଚକାଳି ଖେଳିଥିବାବେଳେ ମଙ୍ଗଳବାର ଭୋର ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ହୋଇଥିଲା। ଯଦିଓ ମଝିରେ ୨ ଘଣ୍ଟା ପାଇଁ ଆସିଥିଲା, ତା’ପରେ ସନ୍ଧ୍ୟା ପର୍ଯ୍ୟନ୍ତ ଆଉ ଆସି ନ ଥିଲା। କେବଳ ଅନୁଗୋଳ ନୁହେଁ ଛେଣ୍ଡିପଦା, ବଅଁରପାଳ, ପାଲଲହଡ଼ା, ଖମାର ଆଦି ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା। ଲୋକମାନେ ଅଭିଯୋଗ କରିବାକୁ ଫୋନ୍‌ କଲେ ବିଦ୍ୟୁତ୍‌ କାର୍ଯ୍ୟାଳୟରେ କେହି ଫୋନ୍‌ ଉଠାଉ ନାହାନ୍ତି। ଥରେ ବିଜୁଳି ଗଲେ କେତେବେଳେ ଆସିବ, ତାହା ଲୋକେ ଜାଣିପାରୁନାହାନ୍ତି। ବିଦ୍ୟୁତ୍‌ ବିଭାଗର ଏପରି ମନମୁଖୀ କାର୍ଯ୍ୟ ଯୋଗୁ ଗରମ ଓ ଗୁଳୁଗୁଳିରେ ସୁସ୍ଥ ଲୋକମାନେ ମଧ୍ୟ ଅସୁସ୍ଥ ହୋଇପଡ଼ୁଛନ୍ତି। ଏହାକୁ ନେଇ ଉପଭୋକ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ କୁହାଯାଇଛି, ଡିଆଇସି ଛକ ଅଞ୍ଚଳରେ ବିଦ୍ୟୁତ୍‌ ତାର ଲୋଡ୍‌ ନେଲା ନାହିଁ। ନୂଆ କେବୁଲ ଟଣାଯାଇ ପୁନଃ ସଂଯୋଗ ଦିଆଯାଇଥିଲେ ମଧ୍ୟ ତାହା ଲୋଡ୍‌ ନେଇ ନ ଥିଲା। ଫଳରେ ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କଟିଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସଫେଇ ଦେଇଛନ୍ତି।