କୋରାପୁଟ, ୨୬।୨(ସ୍ବ.ପ୍ର.): କୋରାପୁଟ ଜିଲାର ଅନକାଡେଲିସ୍ଥିତ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପର ଟିପି ଡ୍ୟାମରେ ଗଛ ଗଣ୍ଡି ଓ ଡାଳ ଲାଗି ଗେଟ୍ ପ୍ରଭାବିତ ହୋଇଛି। ଏଥିଯୋଗୁ ପ୍ରକଳ୍ପର ବିଦ୍ୟୁତ୍ ଉପତ୍ାଦନ ବନ୍ଦ ରହିଥିବା ଅଧୀକ୍ଷଣ ଯନ୍ତ୍ରୀ କେ.ଭି. ନାଗେଶ୍ୱର ରାଓ ଶନିବାର କହିଛନ୍ତି। ଏଥିଯୋଗୁ ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପରୁ ବିଦ୍ୟୁତ ଉପତ୍ାଦନ ବାଧାପ୍ରାପ୍ତ ହୋଇଛି। ଫଳରେ ଦୈନିକ ୭୨ ମେଗାୱାଟ ବିଦ୍ୟୁତ୍ ଉପତ୍ାଦନ ହୋଇ ନ ପାରି କ୍ଷତି ହେଉଛି। ଆଗାମୀ ୩ ଦିନ ଧରି ମାଛକୁଣ୍ଡ ପ୍ରକଳ୍ପକୁ ବନ୍ଦ କରାଯାଇ ଟିପି ଡ୍ୟାମର ଗେଟ୍ ମରାମତି କରାଯିବ ବୋଲି ଏସସି ରାଓ କହିଛନ୍ତି। ସୂଚନାଯୋଗ୍ୟ, ଗତ ଗୁରୁବାରଠାରୁ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପକୁ ଜଳଯୋଗାଣ କରାଯାଉଥିବା ଟିପି ଡ୍ୟାମରେ ଏକ ଗଛ ଗଣ୍ଡି ଲାଗି ଏହା ଗେଟର ସମ୍ମୁଖରେ ଥିବା ଲୁହା ଜାଲିରେ ଲାଗିଯାଇଥିଲା। ଫଳରେ ଡ୍ୟାମର ୩ଟି ଗେଟ୍ ପ୍ରଭାବିତ ହୋଇଥିଲା। ଜଳସ୍ରୋତରେ ହ୍ରାସ ପାଇଥିଲା। ଏସମ୍ପର୍କରେ ପ୍ରକଳ୍ପ କର୍ତ୍ତୃପକ୍ଷ ଯାଣିବା ପରେ ସ୍ଥିତି ଯାଞ୍ଚ କରିଥିଲେ। ପରେ ପ୍ରକଳ୍ପ ଅଧିକାରୀମାନେ ତୁରନ୍ତ ପ୍ରକଳ୍ପର ଡି ଡ୍ୟାମକୁ ବନ୍ଦ କରିଦେଇଥିଲେ।