ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ୍‌ ବିଭ୍ରାଟ

ବାରିପଦା ଅଫିସ,୬।୫: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ଦେଖାଦେଲା ବିଦ୍ୟୁତ୍‌ ବିଭ୍ରାଟ। ପାୱାର ଟ୍ରିପ୍‌ ଯୋଗୁ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଥିବା କୁହାଯାଉଛି। ଶନିବାର ପୂର୍ବାହ୍ନ ୧୧ଟା ୫୬ରୁ ୧୨ଟା ୫ ମିନିଟ ପର୍ଯ୍ୟନ୍ତ ଅର୍ଥାତ୍‌ ୯ ମିନିଟ୍‌ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିଲା। ବିଦ୍ୟୁତ୍‌ ନ ଥିବାରୁ ଅଡିଟୋରିୟମ ଅନ୍ଧାର ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଏହି ଅନ୍ଧାର ସମୟରେ ବି ରାଷ୍ଟ୍ରପତି ଜାରି ରଖିଥିଲେ ଦୀକ୍ଷାନ୍ତ ଭାଷଣ।

ଲାଇନ୍‌ ନ ଥିବା ସତ୍ତ୍ୱେ ସମ୍ପୂର୍ଣ୍ଣ ଅନ୍ଧାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏପରିକି ମନରେ କୌଣସି ବିରକ୍ତିଭାବ ପରିଲକ୍ଷିତ ହୋଇ ନ ଥିଲା। ବରଂ ସେ କହିଥିଲେ, ଆଲୋକ ଓ ଅନ୍ଧକାରକୁ ସମାନ ଭାବରେ ଗ୍ରହଣ କରିବା ଉଚିତ। ‘ଅନ୍ଧାର ଯେତିକି ଆଲୁଅ ସେତିକି ଏହି ଯେ ଗହନ ବନ, ଚାଲିବି ଚାଲିବି ପଡିବି ଥକି’।

ଏହା ଅବଶ୍ୟ ଭିନ୍ନ କଥା ଯେ, ଏଭଳି ଅନିଚ୍ଛାକୃତ ତ୍ରୁଟି ପାଇଁ ଶକ୍ତି ବିଭାଗ ଦୁଃଖ ପ୍ରକାଶ କରିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ମଧ୍ୟ ନିଜ ଦୋଷ ସ୍ବୀକାର କରିଛି। ତେବେ ଏଭଳି ବିଦ୍ୟୁତ୍‌ ବିଭ୍ରାଟକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଉତ୍ସବରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ, ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ।

Share