ଇନ୍ଧନ ସଙ୍କଟରୁ ପାକ୍‌ରେ ବିଦ୍ୟୁତ କାଟ୍‌

ଇସ୍‌ଲାମାବାଦ, ୧୯ା୪: ବିଦେଶରୁ କୋଇଲା, ପ୍ରାକୃତିକ ଗ୍ୟାସ୍‌ କିଣିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଦେଖାଦେଇଛି। ଫଳରେ କଳାକାରଖାନା ସମେତ ଘରୋଇ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି। ୟୁକ୍ରେନ୍‌ ଯୁଦ୍ଧ ଯୋଗୁ କୋଇଲା ଏବଂ ଗ୍ୟାସ୍‌ ଦରରେ ବ୍ୟାପକ ବୃଦ୍ଧି ଘଟିଥିବାବେଳେ ଇନ୍ଧନ ଯୋଗାଣ ଶୃଙ୍ଖଳ ମଧ୍ୟ ବ୍ୟାହତ ହୋଇଛି। ଅର୍ଥ ଅଭାବରୁ ପାକିସ୍ତାନ ଆବଶ୍ୟକ କୋଇଲା ଆମଦାନୀ କରିପାରୁ ନ ଥିବାରୁ ଦେଶର ଅନେକ ପାଓ୍ବାର ପ୍ଲାଣ୍ଟରୁ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ପାକିସ୍ତାନରେ ଏନର୍ଜି ଖର୍ଚ୍ଚ ଗତ ୯ ମାସରେ ଦୁଇଗୁଣା ହୋଇ ୧୫ ବିଲିୟନ ଡଲାରରେ ପହଞ୍ଚିଛି। କୋଇଲା ଅଭାବରୁ ଏପ୍ରିଲ ୧୩ରେ ୩,୫୦୦ ମେଗାଓ୍ବାଟ୍‌ର ପାଓ୍ବାରପ୍ଲାଣ୍ଟ୍‌ ବନ୍ଦ ରହିଛି। ଏହାବାଦ୍‌ ଟେକ୍ନିକାଲ ସମସ୍ୟା ଯୋଗୁ ପ୍ରାୟ ସମାନ ମେଗାଓ୍ବାଟ୍‌ର ପାଓ୍ବାର ପ୍ଲାଣ୍ଟ୍‌ ମଧ୍ୟ କାମ କରୁନାହିଁ ବୋଲି ଅର୍ଥମନ୍ତ୍ରୀ ମିଫ୍‌ତାହ ଇସ୍‌ମାଇଲ କହିଛନ୍ତି।

Share