Advertisement
Categories: ଜାତୀୟ

ବିଦ୍ୟୁତ୍‌ ପ୍ଲାଣ୍ଟରେ ନିଆଁ: ୯ ମୃତ

ହାଇଦ୍ରାବାଦ, ୨୨।୮: ତେଲଙ୍ଗାନାର ଶ୍ରୀଶୈଳମ୍‌ଠାରେ ଥିବା ଏକ ଜଳବିଦ୍ୟୁତ୍‌ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଛନ୍ତି। ସେମାନେ ହେଲେ ସନ୍ଦର ନାଏକ, ମୋହନ କୁମାର ଏବଂ ଫଥିମା। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହାର ସିଆଇଡି ତଦନ୍ତ ଲାଗି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିର୍ଦ୍ଦେଶ ଦେଇଛନ୍ତି। ସିଆଇଡିର ଅତିରିକ୍ତ ପୋଲିସ ନିର୍ଦ୍ଦେଶକ ଗୋବିନ୍ଦ ସିଂଙ୍କୁ ତଦନ୍ତକାରୀ ଅଫିସର ନିଯୁକ୍ତ କରାଯାଇଛି। ବିଦ୍ୟୁତ୍‌ ପ୍ଲାଣ୍ଟ ଅଗ୍ନି ଦୁର୍ଘଟଣାରେ ମୃତକଙ୍କ ଲାଗି ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।
ପ୍ଲାଣ୍ଟରେ ଫସିରହିଥିବା ଇଞ୍ଜିନିୟରମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଥିଲା। ଘଟଣାସ୍ଥଳରେ ରାଜ୍ୟ ଶକ୍ତିମନ୍ତ୍ରୀ ଜି. ଜଗଦୀଶ୍ୱର ରେଡ୍ଡୀ ଏବଂ ଟିଏସ୍‌ଗେନ୍‌କୋର ଉଚ୍ଚ ପଦାଧିକାରୀମାନେ ପହଞ୍ଚତ୍ଛନ୍ତି। ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ପାଓ୍ବାର ହାଉସ୍‌ର ଇଲେକ୍ଟ୍ରିକ୍‌ ପ୍ୟାନେଲରେ ନିଆଁ ଲାଗି ଅନ୍ୟ ଭାଗକୁ ବ୍ୟାପିଯାଇଥିଲା ବୋଲି ବିଶ୍ୱାସ କରାଯାଉଛି। ସେତେବେଳେ ପାଓ୍ବାର ହାଉସରେ ଟିଏସ୍‌ଗେନ୍‌କୋର ୩୦ ଜଣ କର୍ମଚାରୀ ଥିଲେ। ୬ ଜଣଙ୍କୁ ଟନେଲ ଦେଇ ବାହାରକୁ ଅଣାଯାଇଥିଲାବେଳେ ଅନ୍ୟ ୧୫ ଜଣ ପ୍ରକଳ୍ପର ଜରୁରୀ ପ୍ରସ୍ଥାନ ପଥ ଦେଇ ବାହାରି ଆସିବାକୁ ସକ୍ଷମ ହୋଇଥିଲେ। ତେବେ ଟନେଲ ଭିତରେ ପ୍ରବଳ ଧୂଆଁରେ ଅନ୍ୟ ୯ ଜଣ ଫସି ରହିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନ ଥିଲା। ଉପକାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଓ୍ବନ କୁମାର, ପ୍ଲାଣ୍ଟର ଜୁନିୟର ଆସିଷ୍ଟାଣ୍ଟ ରାମକ୍ରିଷ୍ଣ, କନିଷ୍ଠ ଯନ୍ତ୍ରୀ ମାଥରୁ, କ୍ରିଷ୍ଣା ରେଡ୍ଡୀ ଏବଂ ଭେଙ୍କଟେଶ ଓ ଡ୍ରାଇଭର ପାଲାଙ୍କିଆଙ୍କୁ ଉଦ୍ଧାର କରାଯାଇ ଟିଏସ୍‌ଗେନ୍‌କୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share