Categories: ଜାତୀୟ

ପାଓ୍ବାର ଦେଖାଇଲେ ପାଓ୍ବାର

ନୂଆଦିଲ୍ଲୀ,୭ା୪: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପାର୍ଲାମେଣ୍ଟ ଅଫିସରେ ଦୁଇ ନେତାଙ୍କ ମଧ୍ୟରେ ୨୦ ମିନିଟ ଧରି ଆଲୋଚନା ହୋଇଛି। ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମଙ୍ଗଳବାର ଶିବସେନା ଏମ୍‌ପି ତଥା ‘ସାମ୍ନା’ ସମ୍ପାଦକ ସଞ୍ଜୟ ରାଉତଙ୍କ ସ୍ତ୍ରୀ ଓ ଅନ୍ୟ ୨ ସହଯୋଗୀଙ୍କ ବିରୋଧରେ ଜମି କାରବାର ସମ୍ପର୍କିତ ଏକ ମନିଲଣ୍ଡରିଂ ମାମଲାରେ ୧୧.୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି। କେଉଁ ଆଧାରରେ ସଞ୍ଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ଏହା ଅନ୍ୟାୟ। ସଞ୍ଜୟ ଭାଜପା ଏବଂ କେନ୍ଦ୍ର ବିରୋଧୀ ମନ୍ତବ୍ୟ ଦେଉଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦୁର୍ଭାଗ୍ୟଜନକ ବୋଲି ପାଓ୍ବାର ମୋଦିଙ୍କୁ କହିଥିବା ଖବରଦାତାଙ୍କ ଆଗରେ ସ୍ପଷ୍ଟ କରିଛନ୍ତି।
ସରକାର କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ବିରୋଧୀଙ୍କ ମୁହଁ ବନ୍ଦ ପାଇଁ ବ୍ୟବହାର କରୁଥିବା ଅଭିଯୋଗ ହୋଇଆସୁଥିବାବେଳେ ପାଓ୍ବାର ପ୍ରଧାନମନ୍ତ୍ରୀଙ୍କୁ ନିଜ ପାଓ୍ବାର ଦେଖାଇଥିବା କୁହାଯାଉଛି। କାରଣ ପାଓ୍ବାରଙ୍କ ଦଳର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ବୁଧବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରି ମୁମ୍ବାଇର ଆର୍ଥର ରୋଡ୍‌ ଜେଲକୁ ନେଇଛି। ଏହା ପୂର୍ବରୁ ତଦନ୍ତକାରୀ ସଂସ୍ଥା ଦେଶମୁଖଙ୍କ ବ୍ୟକ୍ତିଗତ ସହକାରୀ କୁନ୍ଦଲ ସିନ୍ଧେ, ସଚିବ ସଞ୍ଜୀବ ପାଲାଣ୍ଡେଙ୍କୁ ହାଜତକୁ ନେଇଥିଲା। ସ୍ବତନ୍ତ୍ର ସିବିଆଇ କୋର୍ଟଙ୍କ ନିର୍ଦ୍ଦେଶନାମାକୁ ଦେଶମୁଖ ବମ୍ବେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ହାଇକୋର୍ଟ ତାଙ୍କ ଆବେଦନର ଶୁଣାଣି କରିବାକୁ ମନା କରିଦେଇଥିଲେ। ସେହିପରି ସିବିଆଇ ମାମଲାରେ ଦୁଇ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ଏନ୍‌ସିପି ମୁଖପାତ୍ର ତଥା କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକ ମଧ୍ୟ ଅନ୍ୟ ଏକ ମାମଲାରେ ଜେଲରେ ଅଛନ୍ତି। ଏହି ପ୍ରସଙ୍ଗ ଉପରେ ମଧ୍ୟ ପାଓ୍ବାର ମୋଦିଙ୍କ ସହ କଥା ହୋଇଥିବା କୁହାଯାଉଛି। ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାର ରାଜ୍ୟପାଳ ଭଗତ ସିଂ କୋଶିୟାରିଙ୍କୁ ରାଜ୍ୟ ବିଧାନ ପରିଷଦ ସଦସ୍ୟତା ପାଇଁ ୧୨ ନାମ ସୁପାରିସ କରିଥିଲେ। ହେଲେ ଅଢ଼େଇ ବର୍ଷ ପରେ ବି ଆର୍‌ଏସ୍‌ଏସ୍‌ ଭେଟେରାନ୍‌ କୋଶିୟାରୀ ସେମାନଙ୍କ ନାମ ଉପରେ ମୋହର ମାରୁନାହାନ୍ତି। ଏହି ପ୍ରସଙ୍ଗରେ ପାଓ୍ବାର ପ୍ରଧାନମନ୍ତ୍ରୀଙ୍କ ଆଗରେ ଅସନ୍ତୋଷ ବ୍ୟକ୍ତ କରିଥିବା କହିଛନ୍ତି। ଶିବସେନା ନେତୃତ୍ୱାଧୀନ ଶାସକ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ମହାରାଷ୍ଟ୍ର ସରକାରଙ୍କ ସ୍ଥିରତା ପ୍ରଭାବିତ ହେବ କି ବୋଲି ଖବରଦାତାମାନେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ପାଓ୍ବାର ଦୃଢ଼ତାର ସହ କହିଥିଲେ, ସରକାର ପୂରା ୫ ବର୍ଷ ଚାଲିବ ଏବଂ ୨୦୨୪ ନିର୍ବାଚନରେ ଏମ୍‌ଭିଏ ପୁନର୍ବାର କ୍ଷମତାକୁ ଫେରିବ।

Share