Categories: ବାଣିଜ୍ୟ

ଦୁର୍ଗମ ଅଞ୍ଚଳରେ ଟିପିସିଓଡିଏଲ୍‌ର ବିଦ୍ୟୁତ୍‌ ଯୋଗାଣ

ଭୁବନେଶ୍ୱର,୬।୯ (ଅଭୟ ଦାଶ): ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ବିଦ୍ୟୁତ୍‌ ଭିତ୍ତିଭୂମିର ବିକାଶ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ଏପରିକି ଟିପିସିଓଡିଏଲ୍‌ କାର୍ଯ୍ୟ ପରିସର ଅଞ୍ଚଳ ମଧ୍ୟରେ ବିଦ୍ୟୁତ୍‌ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ସହ ଗ୍ରାହକଙ୍କ ନିକଟତର ହେବାକୁ ଟିପିସିଓଡିଏଲ୍‌ ଲକ୍ଷ୍ୟ ରଖିଛି। ଏପରିକି ଟିପିସିଓଡିଏଲ୍‌ର ଢେଙ୍କାନାଳ ବିଦ୍ୟୁତ୍‌ ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲା କାଳିଆପାଣି ସେକ୍ସନର କେନ୍ଦୁପଡ଼ା, ଟିକରପଡ଼ା, ଜାରିକ୍‌ ସାହି ଓ ମହୁକଣ୍ଟା ଭଳି ଆଦିବାସୀ ବହୁଳ ଗାଁର ପାଖାପାଖି ୧୦୦ ପରିବାରର ଲୋକ ପ୍ରଥମ ଥର ପାଇଁ ବିଦ୍ୟୁତ୍‌ ଆଲୋକ ଦେଖିବାକୁ ସୁଯୋଗ ପାଇଥିଲାବେଳେ ସେମାନଙ୍କର ଦୀର୍ଘ ବର୍ଷ ସ୍ବପ୍ନ ସାକାର ହୋଇଛି ବୋଲି ସମ୍ପୃକ୍ତ ଅଞ୍ଚଳର ଉପଭୋକ୍ତାମାନେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଟିପିସିଓଡିଏଲ୍‌ ପକ୍ଷରୁ ଉପରୋକ୍ତ ଅଞ୍ଚଳରେ ବିଦ୍ୟୁତ୍‌ ଭିତ୍ତିଭୂମିର ବିକାଶ କରାଯାଇଛି। ବିଶେଷକରି କେନ୍ଦୁପଡ଼ାଠାରେ ୬୩ କେଭିଏ, ଟିକରପଡ଼ାଠାରେ ୬୩କେଭିଏ, ଜାରିକ୍‌ ସାହିଠାରେ ୨୫କେଭିଏ ଓ ମହୁକଣ୍ଟାଠାରେ ୨୫କେଭିଏ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି। ଏହା ବ୍ୟତୀତ ତୁମୁଣି, ଗୋହିଆଶାଳ ଓ ନାତୁର ଏବଂ କାଳିଆପାଣି ଗାଁର ୪୦ ଆଦିବାସୀ ପରିବାରକୁ ଟିପିସିଓଡିଏଲ୍‌ ପକ୍ଷରୁ ସୋଲାର ପ୍ୟାନେଲ ମାଧ୍ୟମରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଅପରପକ୍ଷରେ ବଣଜଙ୍ଗଲ ପାହାଡ଼ ଭରା ଉପରୋକ୍ତ ଅଞ୍ଚଳଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ଥିବାବେଳେ ଲୋକଙ୍କୁ ଭରସାଯୋଗ୍ୟ ବିଦ୍ୟୁତ୍‌ ସେବା ଯୋଗାଇଦେବା ପାଇଁ ଟିପିସିଓଡିଏଲ୍‌ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି।

Share