ଗିଲଗିଟ୍‌-ବଲ୍ଟିସ୍ତାନରେ ବିଦ୍ୟୁତ-ଗହମ ଅଭାବ: ଲୋକଙ୍କ ପ୍ରଦର୍ଶନ ଜାରି…

ଇସଲାମାବାଦ,୭।୧୨ : ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ୍‌-ବଲ୍ଟିସ୍ତାନର ସ୍କାର୍ଦୁ ସହରର ଲୋକମାନେ ବିଦ୍ୟୁତ ଓ ଗହମ ଅଭାବକୁ ନେଇ ଅଧିକାରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସୂଚନା ସ୍ଥାନୀୟ ଗଣମାଧ୍ୟମ ଦ୍ୱାରା ଦିଆଯାଇଛି। ଖବରକାଗଜଚ ଦ ଡନ ଅନୁଯାୟୀ, ବିକ୍ଷୋଭକାରୀମାନେ ଲଣ୍ଠନ ନେଇ ସରକାରଙ୍କ ବିରୋଧରେ ପଦଯାତ୍ରା କରିଥିଲେ। ବିକ୍ଷୋଭକାରୀମାନେ ସହରର ହୁସେନା ଚୌକ ଠାରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବଲ୍ଟିସ୍ତାନ ଆୱାମୀ ଆକ୍ସନ କମିଟିର ଆହ୍ବାନରେ ଏହି ବିକ୍ଷୋଭରେ ବହୁ ରାଜନୈତିକ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ।

କମିଟିର ମୁଖପାତ୍ର କହିଛନ୍ତି ଯେ ପ୍ରବଳ ଥଣ୍ଡା ମଧ୍ୟରେ ସ୍କାର୍ଦୁରେ ୨୨ ଘଣ୍ଟା ବିଦ୍ୟୁତ କାଟ କରାଯାଉଛି। ଆୱାମୀ ଆକ୍ସନ କମିଟିର ମୁଖ୍ୟ ନଜାଫ ଅଲି ଏବଂ ଅଞ୍ଜୁମାନ ତାଜରାନ-ଇ-ସ୍କାର୍ଦୁର ଅଧ୍ୟକ୍ଷ ଗୁଲାମ ହୁସେନ ଅତହରଙ୍କ ଅନୁଯାୟୀ, କେନ୍ଦ୍ର ସରକାର ଏହି ଅଞ୍ଚଳରେ ଯୋଗାଣ ହ୍ରାସ କରୁଥିବାରୁ ସବସିଡିଯୁକ୍ତ ଅଟା ବଜାରରୁ ପ୍ରାୟ ଅଦୃଶ୍ୟ ହୋଇଯାଇଛି। ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ସାଧାରଣ ନାଗରିକଙ୍କ ସମସ୍ୟା ପ୍ରତି ସରକାର ଧ୍ୟାନ ଦେଉ ନାହାଁନ୍ତି ବୋଲି ଡନ ଦର୍ଶାଇଛନ୍ତି। ନଜାଫ ଅଲି କହିଛନ୍ତି ଯେ ଲୋକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସ୍ଥାନୀୟ ନେତାମାନେ ଜନସାଧାରଣଙ୍କ କ୍ରୋଧର ଶିକାର ହେବା ଭୟରେ ଇସଲାମାବାଦ ପଳାଇ ଯାଇଛନ୍ତି।

ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଇନ୍ତେଖାବ ଡେଲି ରିପୋର୍ଟ କରିଛି ଯେ କଲାତର ଗରିବାବାଦରେ ମଧ୍ୟ ଦୀର୍ଘ ଦିନ ଧରି ନାଗରିକମାନେ ବିଦ୍ୟୁତ ଓ ଗ୍ୟାସ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନଭେମ୍ବରରେ ଲୋକମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେଣୁ ହତାଶ ହୋଇଥିବା ଲୋକମାନେ ବିରୋଧ କରିବାକୁ ବାଧ୍ୟ ହୋଇଛନ୍ତି। ସେମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ କରାଚି-କ୍ୱେଟା ମାର୍ଗରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

Share