Categories: ଜାତୀୟ

ରାସାୟନିକ କାରଖାନାରେ ପ୍ରଚଣ୍ଡ ବିସ୍ଫୋରଣ

ଭରୁଚ,୨୩।୨: ଗୁଜରାଟର ଭରୁଚ ଜିଲାର ଝଗଡ଼ିଆଠାରେ ଥିବା ଜିଆଇଡିସିର ରାସାୟନିକ କାରଖାନାରେ ମଙ୍ଗଳବାର ଭୋର୍‌ ୨ଟାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। କାରଖାନାର ୟୁପିଏଲ୍‌-୫ ପ୍ଲାଣ୍ଟ୍‌ରେ ଏଭଳି ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗି ଯାଇଥିଲା। ଏଥିରେ ୨୪ ଜଣ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆହତଙ୍କୁ ଚିକିତ୍ସା ଳାଗି ଭରୁଚ ଏବଂ ବଡୋଦରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାର ଉଦ୍ୟମ କରୁଛନ୍ତି। ବିସ୍ଫୋରଣ ଶବ୍ଦରେ ୧୦ କିଲୋମିଟର ଅଞ୍ଚଳ ଥରିଯାଇଥିବା ଲୋକେ କହିଛନ୍ତି। କେତେକ ଘରର ଝରକା କାଚ ମଧ୍ୟ ବିସ୍ଫୋରଣର ତୀବ୍ରତା ଯୋଗୁ ଭାଙ୍ଗି ଯାଇଛି। ଭୂଇଁ ଥରିବାରୁ ଲୋକେ ଭୂମିକମ୍ପ ଆଶଙ୍କା କରି ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। କାରଖାନାରେ ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି।

Share