ଏୟାର କଣ୍ଡିସନର ପିପିଇ କିଟ୍‌ ପ୍ରସ୍ତୁତ କଲେ ଏହି ଯୁବକ, ୫-୬ ଘଣ୍ଟା ରହିବ ଥଣ୍ଡା

କରୋନା ଯୋଦ୍ଧାଙ୍କ ପାଇଁ ପିପିଇ କିଟ୍‌ ପିନ୍ଧିବା ଏତେ ସହଜ କଥା ନୁହେଁ। ଏହାକୁ ପିନ୍ଧିବା ପରେ ଅତ୍ୟଧିକ ଗରମ ଅନୁଭୂତ ହୋଇଥାଏ। ଅନେକ ଥର ଦେଖାଯାଇଛି ଯେ, ଡାକ୍ତର କିମ୍ବା ମେଡିକାଲ କର୍ମଚାରୀମାନେ ଏହାକୁ ପିନ୍ଧି ଚେତାଶୂନ୍ୟ ହୋଇଯାଇଛନ୍ତି। ଏହି ପ୍ରକାର ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟପ୍ରଦେଶର ଜବଲପୁରର ଜଣେ ଯୁବକ ଏସି ବା ଶୀତତାପ ନିୟନ୍ତ୍ରିତ ପିପିଇ କିଟ୍‌ ତିଆରି କରିଛନ୍ତି।


ଏୟାର କଣ୍ଡିସନର ପିପିଇ କିଟ୍‌ ପ୍ରସ୍ତୁତ କରିଥିବା ଛାତ୍ର ମହମ୍ମଦ ମନ୍‌ସୁରୀ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ବି-ଟେକ୍‌ କରୁଛନ୍ତି। ମନସୁରୀ ଏହି ଉଦ୍ଭାବନକୁ ଭେଣ୍ଟିଲେଜ୍‌ ପର୍ଶନାଲ ପ୍ରୋଟେକ୍ଟିଭ୍‌ ଉପକରଣ(ପିପିଇ) ଭାବରେ ନାମିତ କରିଛନ୍ତି। ଏହାକୁ ପିପିଇ କିଟ୍‌ ସହିତ ସଂଯୋଗ କରି ଅଣ୍ଟାରେ ବାନ୍ଧିହେବ। ଏହାର ଓଜନ ବହୁତ ହାଲୁକା। ତେଣୁ, ଏହାକୁ ବ୍ୟବହାର କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।


ଏହି ଉଦ୍ଭାବନକୁ ପ୍ରଶଂସା କରି ଜିଲା ପ୍ରଶାସନ ମେଡିକାଲ ବିଭାଗ ମାଧ୍ୟମରେ ଭାରତୀୟ ଅନୁସନ୍ଧାନ ପରିଷଦକୁ ଏକ ପ୍ରସ୍ତାବ ପଠାଇଛି। ଏହାକୁ ପିଏମ୍‌କୁ ମଧ୍ୟ ପଠାଯିବ। ଏହାର ଓଜନ ୮୦୦ ଗ୍ରାମ, ଏହାକୁ ତିଆରି କରିବାରେ ୩୫୦୦ ଟଙ୍କା ଖର୍ଚ୍ଚ ହୋଇଛି। ଏରୋଡାଇନାମିକ୍ସ ଟେକ୍ନୋଲୋଜି ଏଥିରେ ବ୍ୟବହୃତ ହୋଇଛି। ଏହି କୌଶଳ ରକେଟ୍‌ ଇଞ୍ଜିନକୁ ଥଣ୍ଡା କରିବା ପାଇଁ ବ୍ୟବହୃତ ହୁଏ। ଥଣ୍ଡା ପବନ ଏକ ପାଇପ୍‌ ମାଧ୍ୟମରେ ପିପିଇ କିଟ୍‌ ଭିତରକୁ ଯିବ। ଚାର୍ଜ କରିବା ପରେ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଏହି ଡିଭାଇସ ଚଲାଯାଇପାରିବ।

Share