ଦେହରେ ପିପିଇ କିଟ୍‌, ହାତ ପାଦ ଖୋଲା

କଟକ ଅଫିସ,୨୩ା୭: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସଂକ୍ରମଣକୁ ରୋକିବା ଓ ଆକ୍ରାନ୍ତଙ୍କ ଚିହ୍ନଟ ପାଇଁ ବର୍ତ୍ତମାନ ସହରର ପୁରୁଣା ରାଉସପାଟଣା, ପ୍ରତାପନଗରୀ, ପରିଡ଼ାସାହି ଶଙ୍କରପୁର ଓ ଖଟ୍‌ବିନ୍‌ ସାହିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି। ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସହ ପରିମଳ ପାଇଁ କଟକ ମହାନଗର ନିଗମ (ସିଏମ୍‌ସି) କର୍ମଚାରୀ ନିଯୁକ୍ତି ଦେଇଛି। ସେମାନଙ୍କୁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) କିଟ୍‌ ଦିଆଯାଇଛି ସତ, କିନ୍ତୁ ସେମାନଙ୍କ ସୁରକ୍ଷାକୁ ଅଣଦେଖା କରାଯାଉଛି। ଖଟ୍‌ବିନ୍‌ ସାହିର କେତେଜଣ ବାସିନ୍ଦା ଏହି ଆପତ୍ତି ଉଠାଇ ସିଏମ୍‌ସିକୁ ଜଣାଇଛନ୍ତି।

ସକାଳେ ପରିମଳ କର୍ମଚାରୀ ସାହି ସଫା କରିବାକୁ ଆସିଥିଲେ। ସେମାନେ ପିପିଇ କିଟ୍‌ ପିନ୍ଧିଥିଲେ; କିନ୍ତୁ ପ୍ରାୟ କେହି ଜୋତା ପିନ୍ଧି ନ ଥିଲେ। ଅନେକ କର୍ମଚାରୀ ହାତରେ ଗ୍ଲୋଭ୍‌ସ ମଧ୍ୟ ପିନ୍ଧି ନ ଥିଲେ। ଫଳରେ ସେମାନେ ଭୂତାଣୁ ସଂକ୍ରମିତ ହେବା ସହ ଏହି ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। କର୍ମଚାରୀଙ୍କୁ ପିପିଇ କିଟ୍‌ ସହ ଜୋତା ଓ ଗ୍ଲୋବସ ଯୋଗାଇଦେବା ପାଇଁ ସାହିବାସୀ ଦାବି କରିଛନ୍ତି। ଏନେଇ ପରିମଳ ଅଧିକାରୀ ପ୍ରତାପ ମହାନ୍ତିଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଖଣ୍ଡନ କରିବା ସହ ସଫେଇ କର୍ମଚାରୀଙ୍କୁ ଜୋତା ଦିଆଯାଇଥିବା କହିଛନ୍ତି।

Share