ବଜେଟ୍‌ ଘୋଷଣା ପରେ ମୁହଁ ଖୋଲିଲେ ନବୀନ: କହିଲେ ବଜେଟରେ ଏତେ ଟଙ୍କା ଘୋଷଣା କରିବା…

ଭୁବନେଶ୍ୱର,୧୭।୨: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଯାହାକି ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ । ବିଭିନ୍ନ କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା ହୋଇଛି।
ତେବେ, ରାଜ୍ୟ ବଜେଟ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ ଏହି ବଜେଟକୁ ସମାଲୋଚନା କରି କହିଛନ୍ତି, ରାଜ୍ୟ ବିକାଶରେ ଡବଲ ଇଞ୍ଜିନ ସରକାର ଫେଲ ମାରିଛି। ପଛକୁ ପଛ ଯାଉଛି ଡବଲ ଇଞ୍ଜିନ ସରକାର। ଡବଲ ଇଞ୍ଜିନ ସରକାରରେ ଅର୍ଥନୀତି ଦୁର୍ବଳ ହୋଇଛି । ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ହ୍ରାସ ପାଇଛି। ଡବଲ ଇଞ୍ଜିନ ସରକାର ବିପରୀତ ଦିଗରେ ଗତି କରୁଛି। ସାଧାରଣ ଲୋକେ ଦରବୃଦ୍ଧିରେ ହନ୍ତସନ୍ତ ହେଉଛନ୍ତି। ବେରୋଜଗାରୀ ବୃଦ୍ଧି ପାଉଛି।

ମିଶନ ଶକ୍ତି ମହିଳାମାନେ ଦୁର୍ଦ୍ଦିନରେ ଅଛନ୍ତି। ବଜେଟ ଅର୍ଥ ଖର୍ଚ୍ଚ କରିବାରେ ସରକାର ବିଫଳ ହୋଇଛନ୍ତି। ଅର୍ଥ ଖର୍ଚ୍ଚ କରି ନ ପାରିଲେ ବଜେଟ ଅର୍ଥହୀନ ବୋଲି  ନବୀନ ପଟ୍ଟନାୟକ କହିଛନ୍ତି ।

ନବୀନ ପୁଣି କହିଛନ୍ତି, ଗତ ବଜେଟର ଅନେକ ଅନୁଦାନ ଏ ଯାଏଁ ଖର୍ଚ୍ଚ ହୋଇନି। ଶିଳ୍ପ ବିକାଶ ସହ ଅର୍ଥନୀତି ଖସୁଛି। ରିଭର୍ସ ଗିଅରରେ ସରକାର ଚାଲଛି। ଅତ୍ୟାବଶକୀୟ ସାମଗ୍ରୀର ଦରଦାମ ସମସ୍ତଙ୍କୁ ପ୍ରଭାବିତ କରୁଛି। ଚାଷୀ ହଇରାଣ ହେଉଛନ୍ତି। ମିଶନ ଶକ୍ତିରେ କାମ ପାଉ ନାହାନ୍ତି। ବଜେଟରେ ଏତେ ଟଙ୍କା ଘୋଷଣା କରିବା ବଡ଼ କଥା ନୁହେଁ। ଏହା କାର୍ଯ୍ୟକାରୀ କରିବା ଦରକାର। ଯାହା ରାଜ୍ୟର ବିକାଶରେ କାମ ଆସିବ। ଏହି ବଜେଟ୍‌ ଖର୍ଚ୍ଚ ହେବା ଦରକାର। ଆମେ ଏହା ଉପରେ ନଜର ରଖିବୁ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି ।