ମାଳଦ୍ୱୀପରେ କ୍ରିତିଙ୍କ ସହ ନିର୍ବନ୍ଧ କରିବେ ପ୍ରଭାସ! ଏଭଳି ଚର୍ଚ୍ଚାକୁ ନେଇ…

ବମ୍ବେ: ମାଳଦ୍ୱୀପରେ ନିର୍ବନ୍ଧ କରିବେ ଅଭିନେତା ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସେନନ୍‌। କିଛି ଏଭଳି ଚର୍ଚ୍ଚା ବଲିଉଡ୍‌ ସହ ଟଲିଉଡ୍‌ଜଗତରେ ଜୋର ଧରିଥିଲା। ‘ଆଦିପୁରୁଷ’ର ଶୁଟିଂ ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଥିବା ଶୁଣିବାକୁ ମିଳିଥିଲା। ପରେ ଜଣେ ଫିଲ୍ମ ସମୀକ୍ଷକ ଏନେଇ ଟୁଇଟ୍‌ କରିବା ପରେ ତାହା ନିଆଁରେ ଘିଅ ଢ଼ାଳିବାର କାମ କରିଥିଲା। ଏବେ ଏହି ଖବରରେ କେତେ ସତ୍ୟତା ଅଛି ସେନେଇ ପ୍ରଭାସଙ୍କ ଟିମ୍‌ ପକ୍ଷରୁ ଜଣାଯାଇଛି।

ପ୍ରଭାସଙ୍କ ଟିମ୍‌ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଏହି ଖବରକୁ ଖଣ୍ଡନ କରିଛି। ଉଭୟ କେବଳ ପରସ୍ପରର ଭଲ ବନ୍ଧୁ। ନିର୍ବନ୍ଧ ଭଳି ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି କୁହାଯାଇଛି।

କାମ ବିଷୟରେ କଥା ହେଲେ ପ୍ରଭାସ ଖୁବ୍‌ଶୀଘ୍ର ଓମ୍‌ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’, ପ୍ରଶାନ୍ତ ନୀଲଙ୍କ ‘ସାଲାର’, ନାଗ ଅଶ୍ୱିନଙ୍କ ‘ପ୍ରୋଜେକ୍ଟ କେ’, ମାରୁତିଙ୍କ ‘ରାଜା ଡିଲକ୍ସ’ ଏବଂ ସନ୍ଦିପ ରେଡ୍ଡିଙ୍କ ‘ସ୍ପିରିଟ୍‌’ରେ ନଜର ଆସିବେ। ସେହିଭଳି କ୍ରିତିଙ୍କ ହାତରେ କାର୍ତ୍ତିକ ଆର୍ୟନଙ୍କ ସହ ‘ଶେହଜାଦା’, ଟାଇଗର ଶ୍ରଫଙ୍କ ସହ ‘ଗଣପଥ’, ବିଶାଲ ଭରଦ୍ୱାଜଙ୍କ ‘ଚୁରିୟାଁ’ଙ୍କ ଫିଲ୍ମ ରହିଛି।

Share