ପ୍ରଧାନମନ୍ତ୍ରୀ ହେବାକୁ ପ୍ରଚଣ୍ଡ ଆଗ୍ରହୀ

କାଠମାଣ୍ଡୁ ,୧୯।୧୨: ସିପିଏନ୍‌-ମାଓବାଦୀ ସେଣ୍ଟରର ଅଧ୍ୟକ୍ଷ ପୁଷ୍ପ କୁମାର ଦହଲ ‘ପ୍ରଚଣ୍ଡ’ ରବିବାର ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କୁ ଭେଟିଛନ୍ତି। ସେ ନୂଆ ସରକାରରେ ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହ ବ୍ୟକ୍ତ କରିଥିବା ଜଣାପଡ଼ିଛି। ଶାସକ ମେଣ୍ଟକୁ ନେଇ କିପରି ପରବର୍ତ୍ତୀ ସରକାର ଗଢ଼ାଯିବ, ସେନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ସରକାର ଗଢ଼ିବା ଲାଗି ଦାବି ଜଣାଇବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଖୁବ୍‌ଶୀଘ୍ର ଡାକିବାକୁ ଯାଉଛନ୍ତି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଚଣ୍ଡ ଭେଟିବା ଗୁରୁତ୍ୱପୂର୍ଣ୍ଣ। ସୂଚନାଯୋଗ୍ୟ, ଗତ ନଭେମ୍ବର ୨୦ରେ ୨୭୫ ସଦସ୍ୟ ବିଶିଷ୍ଟ ନେପାଳ ପ୍ରତିନିଧି ସଭା ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ସରକାର ଗଢ଼ିବା ଲାଗି କୌଣସି ଦଳକୁ ଆବଶ୍ୟକ ସଂଖ୍ୟା ମିଳିନାହିଁ। ଶାସକ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିବାରୁ କିଏ ପ୍ରଧାନମନ୍ତ୍ରୀ ହେବେ ତାହା ଅସମାହିତ ହୋଇ ରହିଛି। ଦେଉବାଙ୍କ ନେତୃତ୍ୱାଧୀନ ନେପାଳୀ କଂଗ୍ରେସ ୮୯ ଆସନରେ ଜିତି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାବେଳେ ଏହାର ସହଯୋଗୀ ସିପିଏନ୍‌-ମାଓବାଦୀ ସେଣ୍ଟରକୁ ୩୨, ସିପିଏନ୍‌-ୟୁନାଇଟେଡ୍‌ ସୋସିଆଲିଷ୍ଟକୁ ୧୦, ଲୋକତାନ୍ତ୍ରିକ ସମାଜବାଦୀ ପାର୍ଟିକୁ ୪ ଏବଂ ରାଷ୍ଟ୍ରୀୟ ଜନମୋର୍ଚ୍ଚାକୁ ଗୋଟିଏ ଆସନ ମିଳିଛି।

Share