ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ଅଭ୍ୟାସ ପରେଡ୍‌

ଭୁବନେଶ୍ୱର,୧୨।୮ (ସୂର୍ଯ୍ୟକାନ୍ତ ବେହେରା): ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମଙ୍ଗଳବାର ୟୁନଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ଅପରାହ୍ନ ୩ଟାରୁ ଅଭ୍ୟାସ ପରେଡ଼ ଆରମ୍ଭ ହୋଇଛି। ଏଥିରେ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ, ଓଡିଶା ଷ୍ଟେଟ୍‌ ଆର୍ମଡ୍‌ ପୋଲିସ (ଓଏସ୍‌ଏପି), ଓଡ୍ରାଫ ଟିମ୍‌, ଛତିଶଗଡ ପୋଲିସ, ବ୍ୟାଣ୍ଡ୍‌ ଟିମ୍‌ ସାମିଲ ହୋଇଥିଲେ। ଏହି ଅଭ୍ୟାସ ପରେଡ଼ ୧୩ ତାରିଖ ଯାଏ ଚାଲିବ। ସେହିପରି ୧୨ ତାରିଖ ଅପରାହ୍ନ ୩ଟା ଓ ୧୩ ତାରିଖ ସକାଳ ୯ଟାରେ ପରେଡ଼ ଅଭ୍ୟାସ ହେବ।
ଅନ୍ୟପକ୍ଷରେ ସ୍ବାଧୀନତା ଦିବସ ପରେଡ଼ ଦେଖିବାକୁ ଲୋକଙ୍କ ଭିଡ ହେବା ସମ୍ଭାବନା ରହିଛି। ଏହାକୁ ସର୍ବସାଧାରଣଙ୍କ ଯାତାୟାତ ଓ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସର ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ କଟକଣା ଲାଗୁ କରିଯାଇଛି। ୧୫ ତାରିଖ ସକାଳ ସାଢେ ୬ଟାରୁ ପରେଡ଼ ସରିବା ପର୍ଯ୍ୟନ୍ତ କୌଣସି ଗାଡି ରାମ ମନ୍ଦିର ଛକଠାରୁ ହାଉସିଂ ବୋର୍ଡ ଛକ (ଏମ୍‌ବିଏସ୍‌ ସ୍କୁଲରୁ ସେଣ୍ଟ ଯୋସେଫ ସ୍କୁଲ) ରାସ୍ତା ଦେଇ ଯାଇପାରିବେ ନାହିଁ। ସେହିପରି ହାଉସିଂ ବୋର୍ଡ ଛକ ପଟୁ ରାମ ମନ୍ଦିର ଛକ ଆଡ଼କୁ ଯିବାକୁ ଚାହୁଁଥିବା ଯାନବାହନଗୁଡ଼ିକ ଏମ୍‌ବିଏସ୍‌ ସ୍କୁଲ ଗଳି ରାସ୍ତା ବାଟେ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇପାରିବେ। ଏହାସହ ଯେଉଁ ଗାଡ଼ିଗୁଡ଼ିକ ରାମ ମନ୍ଦିର ଛକ ପଟୁ ହାଉସିଂ ବୋର୍ଡ ଛକ ଆଡ଼କୁ ଯିବାକୁ ଚାହିଁବେ, ସେମାନେ ସେଣ୍ଟ ଜୋସେଫ ସ୍କୁଲ ଗଳି ରାସ୍ତାରେ ଯାଇ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ଦେଇ ଯାଇପାରିବେ। ପିଏମ୍‌ଜି ଓ କେଶରୀ ଟକିଜ ପଟୁ ଆସୁଥିବା ସମସ୍ତ ଗାଡ଼ି ଚାର୍ଲି ହୋଟେଲଠାରୁ ସଚିବାଳୟ ମାର୍ଗ ଆଡ଼କୁ ଯାଇଥିବା ରାସ୍ତା ଦେଇ ଯାଇପାରିବେ। ସଚିବାଳୟ ମାର୍ଗକୁ ସଂଯୋଗ କରୁଥିବା ପ୍ରଦର୍ଶନୀ ପଡ଼ିଆର ଗେଟ ନମ୍ବର- ୧ ଏବଂ ଗେଟ ନମ୍ବର-୨ ସାମ୍ନାରେ ଥିବା ଗଳି ରାସ୍ତା ବନ୍ଦ ରହିବ। ହାଉସିଂ ବୋର୍ଡ ଓ ରାମ ମନ୍ଦିର ରାସ୍ତା ମଧ୍ୟରେ ଥିବା ଏମ୍‌ବିଏସ୍‌ ସ୍କୁଲଠାରୁ ସେଣ୍ଟ ଜୋସେଫ ସ୍କୁଲ ପର୍ଯ୍ୟନ୍ତ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ କିମ୍ବା ଏହାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା ଖୋଲା ରହିବ। ଏହାସହ ଏହି ସମୟରେ ଆଖପାଖରେ କେହି ଗ୍ୟାସ ବେଲୁନ ବିକ୍ରି କରିପାରିବେ ନାହିଁ। ନିୟମର ଖିଲାପ କଲେ ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ ୨୦୦୩ ଧାରା ୯୬ ଅନୁସାରେ ୫୦୦ କିମ୍ବା ସର୍ବାଧିକ ୧୦୦୦ ଟଙ୍କାର ଜରିମାନା ଆଦାୟ କରାଯିବ।

Share