ଜେଲରେ ଜେରା ହେବେ ପ୍ରଦୀପଙ୍କ ସହ ପାଠକ ବାପପୁଅ

ଭୁବନେଶ୍ୱର,୧୦ା୧୨(ବ୍ୟୁରୋ):ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ନିଲମ୍ବିତ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୩ଟି ମାମଲା ରୁଜୁ କରିଛି। ପାଠକ ବାପପୁଅଙ୍କ ନାଁରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗ ରହିଥିବାବେଳେ ପ୍ରଦୀପଙ୍କ ନାଁରେ ଠକେଇ, ଜାଲିଆତି, ଆପରାଧିକ ଷଡ଼ଯନ୍ତ୍ର ଏବଂ ସାଇବର ଅପରାଧ ଅଭିଯୋଗ ରହିଛି। ତେବେ ଇଡି ଏହି ୩ଜଣଙ୍କ ଆର୍ଥିକ କାରବାରର ଖୋଳତାଡ଼ କରୁଛି। ଖୁବଶୀଘ୍ର ଏମାନଙ୍କୁ ଇଡି ଜେରା କରିବ। ସୁରକ୍ଷା ଦୃଷ୍ଟିରୁ ଝାରପଡା ଜେଲରେ ହିଁ ସେମାନେ ଜେରାର ସମ୍ମୁଖୀନ ହେବେ। ଏଥିପାଇଁ ଇଡି ପକ୍ଷରୁ ଭୁବନେଶ୍ୱର ଏସ୍‌ଡିଜେମ୍‌ଙ୍କ କୋର୍ଟରେ ଆବେଦନ କରାଯାଇଛି। ତଦନ୍ତରୁ ମନି ଲଣ୍ଡରିଂର ପ୍ରମାଣ ମିଳିଲେ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତ ୬ ମାସ ମଧ୍ୟରେ ବିଧାୟକ ପାଣିଗ୍ରାହୀଙ୍କ ଆକାଉଣ୍ଟରେ ୨.୬୩ କୋଟି ଟଙ୍କା ଜମା ହୋଇଥିଲା। ଏହି ସମସ୍ତ ଟଙ୍କା ନିୟମିତ ବ୍ୟବଧାନରେ କେତେଜଣ ବ୍ୟକ୍ତି ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ମାଧ୍ୟମରେ ଜମା କରିଥିଲେ। ଏତେ ଟଙ୍କା କାହିଁକି ତାଙ୍କ ଆକାଣ୍ଟକୁ ଆସିଥିଲା ସେନେଇ ଇଡି ତଦନ୍ତ କରୁଛି। ବ୍ୟାଙ୍କଠାରୁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଥିବାବେଳେ ଯେଉଁମାନେ ଟଙ୍କା ଜମା କରିଛନ୍ତି, ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୃକ୍ତ କରାଯିବ। ସେହିପରି ଆଇଏଫଏସ୍‌ ଅଫିସର ଅଭୟକାନ୍ତ ଓ ପୁଅ ଆକାଶଙ୍କ ଆକାଉଣ୍ଟକୁ ଆସିଥିବା ୧୮ କୋଟି ଟଙ୍କା ବାବଦରେ ମଧ୍ୟ ତଦନ୍ତ କରାଯିବ। ଏଥିରେ କିଛି ଠକେଇ ଟଙ୍କା ରହିଛି କି ନାହିଁ ତଦନ୍ତ ପରେ ସ୍ପଷ୍ଟ ସୂଚନା ମିଳିପାରିବ।

Share