ନବୀନଙ୍କ ସମ୍ମୁଖରେ ପରାଜୟର ୩ କାରଣ ଖୋଲି କହିଦେଲେ ପ୍ରଦୀପ ମାଝୀ

ଭୁବନେଶ୍ୱର,୨୪।୯:ଗତ ନିର୍ବାଚନରେ ବିଜେଡିର ବଡ଼ ପରାଜୟ ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ସହ ପ୍ରାୟତଃ ଆଲୋଚନା କରୁଛନ୍ତି। ଦଳର ପରାଜୟ ପାଇଁ ନେତାମାନେ ବିଭିନ୍ନ କାରଣକୁ ଦାୟୀ କରିଛନ୍ତି। ନବରଙ୍ଗପୁର ଓ କଳାହାଣ୍ଡି ଜିଲା ସାଙ୍ଗଠନିକ ବିଜେଡି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଶଙ୍ଖଭବନରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ସାଂଗଠନିକ ଜିଲାର କର୍ମକର୍ତ୍ତା ଓ ନେତାଙ୍କୁ ଡାକି ସମୀକ୍ଷା କରୁଥିବା ନବୀନଙ୍କୁ ଦଳ ପରାଜୟର କାରଣ ନେତାମାନେ ଅବଗତ କରୁଥିବା ଦେଖିବାକୁ ମିଳିଛି। ଆଦିବାସୀ ନେତା ପ୍ରଦୀପ ମାଝୀ ସମୀକ୍ଷା ବୈଠକରେ ଦଳ ପରାଜୟର ଯେଉଁ ସବୁ କାରଣ ନବୀନଙ୍କୁ ଅବଗତ କରାଇଛନ୍ତି ତାହାକୁ ଚର୍ଚ୍ଚା ଜୋର ଧରିଛି।

ପ୍ରଦୀପ ମାଝୀ ବିଜେଡି ପରାଜୟ ପାଇଁ ୩ କାରଣକୁ ଦାୟୀ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା, ଦଳ ମଧ୍ୟରେ ଥିବା ଅନ୍ତଃକନ୍ଦଳ। ଖରାପ ନିର୍ବାଚନ ପରିଚାଳନାକୁ ସେ ପରାଜୟର ମୁଖ୍ୟ କାରଣ ବୋଲି ସ୍ବୀକାର କରିଛନ୍ତି।

ନବରଙ୍ଗପୁର ଜିଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ସଦାଶିବ ପ୍ରଧାନୀ, ମୂଳା ମାଝୀ ପ୍ରମୁଖ ଯୋଗଦେଇ ଦଳୀୟ ସଙ୍ଗଠନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ା

ନବରଙ୍ଗପୁର ନେତୃମଣ୍ଡଳୀ ସେମାନଙ୍କ ଅଭିଭାଷଣରେ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣକରି କହିଥିଲେ, ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନରେ ଥିବା କଟଗଁା ଗ୍ରାମର ଜଣେ ଆଦିବାସୀ ନାବାଳିକା ଝିଅକୁ ବଳାତ୍କାର କରି ହତ୍ୟା କରାଯାଇଛି। ଏତଲା ଉପରେ ସ୍ଥାନୀୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହାର ପ୍ରତିବାଦରେ ନବରଙ୍ଗପୁର ଜିଲା ବିଜେଡି ଆସନ୍ତା ୨୬ ତାରିଖରେ ସମ୍ପୂର୍ଣ୍ଣ ଜିଲାରେ୧୨ ଘଣ୍ଟିଆ ହରତାଳ ଡାକରା ଦେଇଛି।

ଏହି ସଭାରେ ନବୀନ କହିଛନ୍ତି, ଖାଲି ନବରଙ୍ଗପୁର ଜିଲା ନୁହେଁ, ସମଗ୍ର ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। କିଛିଦିନ ତଳେ ରାଉରକେଲାରେ ମଧ୍ୟ ୨ ଜଣ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ତେବେ ଆମ ସରକାର ସମୟରେ ରାଜ୍ୟରେ ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିଲା ବୋଲି ନବୀନ କହିଛନ୍ତି।

ଅନୁରୂପ ଭାବେ କଳାହାଣ୍ଡି ଜିଲା ବିଜେଡି ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସମ୍ମିଳନୀରେ ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜୁନାଗଡ଼ ବିଧାୟକ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ନର୍ଲା ବିଧାୟିକା ମନୋରମା ମହାନ୍ତି, ମହିଳା ଜିଲା ସଭାନେତ୍ରୀ ଲଳିତା ନାୟକ, ଜିଲାର ବିଭିନ୍ନ ନିର୍ବାଚିତ ପ୍ରତିନିଧି ସଙ୍ଗଠନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସଭାରେ ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଆଗକୁ ଦଳ ସଙ୍ଗଠିତ ହୋଇ ଭାଜପା ସରକାର ବିରୋଧରେ ଲଢ଼େଇ ଜାରି ରଖିବ।

Share