ଆଜି ଶଙ୍ଖ ଧରିବେ ପ୍ରଦୀପ

ନବରଙ୍ଗପୁର,୬।୧୧(ବି.ପ୍ର.): ପୂର୍ବତନ ନବରଙ୍ଗପୁର ଏମ୍‌ପି ପ୍ରଦୀପ ମାଝି ଶନିବାର ବିଜେଡିରେ ବିଦ୍ଧିବଦ୍ଧଭାବେ ଯୋଗଦେବେ। ସ୍ଥାନୀୟ ସର୍କିଟ ହାଉସ ନିକଟସ୍ଥ ପଡ଼ିଆ ଠାରେ ପୂର୍ବାହ୍ନ ୧୧ଟାରେ ଆୟୋଜିତ ସମାବେଶରେ ପ୍ରଦୀପ ଶଙ୍ଖ ଧରିବେ। ଉକ୍ତ ସମାବେଶରେ ଏକ ବଡ଼ଧରଣର ମିଶ୍ରଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ପ୍ରଦୀପଙ୍କ ସମେତ ତାଙ୍କର ଯୁବ ସମର୍ଥକ ତଥା ସଙ୍ଗଠକମାନେ ବିଜେଡିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏହା ସମେତ ମାଲକାନଗିରି ନିର୍ବାଚନ ମଣ୍ଡଳୀ ଓ କୋଟପାଡ଼ ନିର୍ବାଚନ ମଣ୍ଡଳୀର କଂଗ୍ରେସର କେତେଜଣ ବରିଷ୍ଠ ଓ ଯୁବନେତା ବିଜେଡିରେ ଯୋଗ ଦେବ ବୋଲି ଜଣାପଡ଼ିଛି। ସମାବେଶରେ ଅତିଥିଭାବେ ରାଜ୍ୟ ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା, ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝି, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ, ନିକଟରେ ବିଜେଡିରେ ଯୋଗ ଦେଇଥିବା ଚନ୍ଦ୍ରଶେଖର ମାଝି ପ୍ରମୁଖ ଉପସ୍ଥିତ ରହିବେ। ସେହିପରି ସ୍ଥାନୀୟ ଚାମୁରିଆଗୁଡ଼ାଠାରୁ ବିଶାଳ ଶୋଭାଯାତ୍ରା ବାହାରି ସର୍କିଟ ହାଉସ୍‌ ପଡ଼ିଆ ନିକଟରେ ପହଞ୍ଚିବ। କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଯୋଗ ଦେବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି।

Share