
ବରଗଡ,୨୫।୩(ପ୍ରେମାନନ୍ଦ ଖମାରୀ): ଇଥାନଲ ପ୍ରକଳ୍ପରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପାଇଁ ଆଜି ସଂସଦରେ ବରଗଡ଼ ଏମ୍ପି ପ୍ରଦୀପ ପୁରୋହିତ ଏହି ଦାବି କରିଛନ୍ତି। ବରଗଡ଼ ଜିଲାରେ ଅନେକ ବେକାର ଯୁବତୀ ଯୁବକ ଅଛନ୍ତି । ଏହି ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିଲେ ଅନେକ ଯୁବତୀ ଯୁବକ ଚାକିରି ପାଇବା ସହ ରୋଜଗାରକ୍ଷମ ହୋଇପାରିବେ । ଏହାସହ ଲାଞ୍ଚ ନ ନେଇ ନିଯୁକ୍ତି କରାଯାଉ ବୋଲି ସଂସଦରେ ଦାବି କରିଛନ୍ତି ବରଗଡ଼ ଏମ୍ପି । ବରଗଡ଼ ଜିଲାରେ ୨୦୧୪ ପୂର୍ବରୁ କୌଣସି ଶିଳ୍ପାନୁଷ୍ଠାନ ନ ଥିଲା । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ କ୍ରମେ ବରଗଡ଼ ଇଥାନଲ ପ୍ରକଳ୍ପ ଗଢି ଉଠିଥିଲା। ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧ ହଜାର ୫୫୭ କୋଟି ଟଙ୍କା ବ୍ୟୟ କରୁଛନ୍ତି । ରାଜ୍ୟର ପୂର୍ବ ବିଜେଡି ସରକାର ସମୟରେ ଏହି ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିଲା ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ଏବେ ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଥିବାରୁ ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଶେଷ ହୋଇ କାର୍ଯ୍ୟକ୍ଷମ ହେଉ ବୋଲି ସେ ଦାବି କରିଛନ୍ତି।
ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓ କୃଷି ଆଧାରିତ ଶିଳ୍ପକୁ ତ୍ୱରାନ୍ବିତ କରିବ । ୭୦ ଏକର ପରିମିତ ଯାଗାରେ ଏହି ପ୍ରକଳ୍ପ କରାଯାଉଛି । ଦୈନିକ ୨୦୦ କିଲୋମିଟର ଇଥାନଲ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୧୮ ମସିହାରେ ଭଟଲି ବାଉଲିସିଂହା ଗାଁରେ ଏହାର ଶୁଭ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ବିପିସିଏଲ ୨-ଜି ଓ ୧-ଜି ସମନ୍ବିତରେ ଅତ୍ୟାଧୁନିକ ଜୈବ ବିଶୋଧନାଗାର ପ୍ରତିଷ୍ଠା କରାଯାଉଛି । ନଷ୍ଟ ହୋଇଯାଉଥିବା ଧାନ ନଡା ବା କୁଟାର ବର୍ଜ୍ୟବସ୍ତୁକୁ ବ୍ୟବହାର କରାଯିବ । ଏହା ସିଧାସଳଖ ଚାଷୀଙ୍କଠାରୁ ସରକାର କିଣିବେ। ଫଳରେ ବରଗଡ଼, ନୂଆପଡା ସମ୍ବଲପୁର, ସୋନପୁର ଓ ଛତିଶଗଡ ଅଞ୍ଚଳର ଚାଷୀଙ୍କ ଆୟ ବଢିବ। ସବୁଠୁ ବଡ଼ କଥା ହେଲା ଏହି ବିଶୋଧନାଗାରରେ ୧୨୦୦ ଲୋକଙ୍କୁ ନିଯୁକ୍ତି ମିଳିବ। ପ୍ରତିଦିନ ୮୫୦ ମେଟ୍ରିକ ଟନ ଧାନ ନଡା ଆବଶ୍ୟକ ହେବ। ଏହାଦ୍ୱାରା ଜିଲାର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ।