ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଏମ୍‌ସ୍‌ ନିର୍ଦ୍ଦେଶିକା ଗୀତାଞ୍ଜଳି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏକ ୪ଜଣିଆ ଡାକ୍ତରୀ ଟିମ୍‌ ପ୍ରଦୀପ୍ତଙ୍କ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ଏମ୍‌ସ୍‌ର ୨ ଏବଂ ରାଜ୍ୟ ସରକାରଙ୍କ ୨ ଡାକ୍ତର ଅଛନ୍ତି। ଏବେ ପ୍ରଦୀପ୍ତ ଆଇସିୟୁରେ ଭେଣ୍ଟିଲେଟରରେ ଅଛନ୍ତି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ତଦାରଖ କରୁଥିବା କମିଟି ସୂଚନା ଅନୁଯାୟୀ ଗତ ୩୬ ଘଣ୍ଟା ମଧ୍ୟରେ ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟରେ ସେପରି କୌଣସି ସୁଧାର ଆସି ନ ଥିବା ଜଣାଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ପ୍ରଦୀପ୍ତଙ୍କ ସ୍ତ୍ରୀ ପ୍ରମିଳା ନାଏକ ସ୍ବାମୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବା ପାଇଁ ଆବେଦନ କରିବା ପରେ କମିଟି ପକ୍ଷରୁ ଏହା କୁହାଯାଇଛି। ଉତ୍ତମ ଚିକିତ୍ସା ଯୋଗାଇବା ଲାଗି ତୁରନ୍ତ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ସକାଶେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତାଙ୍କ ସ୍ତ୍ରୀ ଅନୁରୋଧ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୯ରେ କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ପ୍ରଦୀପ୍ତଙ୍କୁ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଥିଲା।

Share