କାଳିଆ ଟଙ୍କା ନ ଫେରାଇବାକୁ କହିଲେ ପ୍ରଦୀପ୍ତ

ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ସବୁ ବ୍ଲକ କୃଷି ଅଧିକାରୀଙ୍କ ପାଖକୁ ଚିଠି ଦିଆଯାଇ ଅଯୋଗ୍ୟ କାଳିଆ ଯୋଜନା ହିତାଧିକାରୀମାନଙ୍କ ନିକଟରୁ ଅର୍ଥ ଫେରସ୍ତ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଅନୁଯାୟୀ ସବୁ ଅଯୋଗ୍ୟ ହିତାଧିକାରୀଙ୍କ ନିକଟକୁ ଚିଠି ପଠାଯିବ ବୋଲି ଜଣାପଡିଛି। ସେହି ଚିଠିରେ ଜିଲା କୃଷି ଅଧିକାରୀଙ୍କ ଦସ୍ତଖତ ରହିବ। ଏଥିଲାଗି ସରକାରଙ୍କ ପକ୍ଷରୁ ଆକାଉଣ୍ଟ ନମ୍ବର ମଧ୍ୟ ଜାରି କରାଯାଇଛି। ଯେଉଁ ଚାଷୀମାନେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ସେମାନଙ୍କୁ ଟଙ୍କା ନ ଫେରାଇବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି।
ପ୍ରଦୀପ୍ତ କହିଛନ୍ତି, କାଳିଆ ଯୋଜନାକୁ ସରକାର ତରବରିଆ ଭାବେ ଆରମ୍ଭ କଲେ। ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ ଏହି ଯୋଜନା ଲାଗୁ କରିଥିଲା। ଦଳୀୟ କର୍ମୀଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ ଟଙ୍କା ବଣ୍ଟାଗଲା। ଏବେ ନିର୍ବାଚନ ସରିବା ପରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବା କଥା କହି ଚାଷୀଙ୍କ ମନରେ ସରକାର ଆତଙ୍କ ସୃଷ୍ଟି କରୁଛନ୍ତି। ଚାଷୀମାନେ ସରକାରଙ୍କୁ ଟଙ୍କା ମାଗି ନ ଥିଲେ। ଏଣୁ ଚାଷୀମାନେ ଗୋଟିଏ ବି ଟଙ୍କା ଫେରସ୍ତ କରନ୍ତୁ ନାହିଁ ବୋଲି ପ୍ରଦୀପ୍ତ କହିଛନ୍ତି। କାଳିଆ ଯୋଜନା ଆରମ୍ଭରୁ ପ୍ରଥମେ ହିତାଧିକାରୀଙ୍କ ପାଖରୁ ଦରଖାସ୍ତ ଗ୍ରହଣ କରାଯାଇଥିବ ଏହାକୁ ତନଖି କରି ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିବ। କିନ୍ତୁ ନିର୍ବାଚନ ଥିବାରୁ ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ତରବରିଆ ଭାବେ ଲାଗୁ କରି ୫ ହଜାର ଟଙ୍କା ଲେଖାଏ ୫୧ ଲକ୍ଷ ଲୋକଙ୍କୁ ବାଣ୍ଟି ଭୋଟ ହାତେଇଥିଲେ। ରାଜ୍ୟର କୌଣସି ଚାଷୀ ଟଙ୍କା ନ ଫେରାଇଲେ କିଛି ଅସୁବିଧା ହେବ ନାହିଁ। ସରକାର ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବା ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ପ୍ରଦୀପ୍ତ କହିଛନ୍ତି।

Share