ବଢିବ ପିଏମ ଆବାସ ଟଙ୍କା, ୧ ଲକ୍ଷ ୨୦ ହଜାର ବଦଳରେ ଏଣିକି ମିଳିବ ଏତିକି…

ଭୁବନେଶ୍ୱର,୧୯।୮(ଅନିଲ ଦାସ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ହିତାଧିକାରୀଙ୍କ ପାଇଁ ଖୁସି ଖବର। ପିଏମ୍‌ ଆବାସ୍‌ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ସହାୟତା ରାଶି ପରିମାଣ ବୃଦ୍ଧି ପାଇବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ସୋମବାର ଏହି ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ବଦଳରେ ୧ ଲକ୍ଷ ୮୦ ହଜାର ଟଙ୍କା ମିଳିବ। ଏ ନେଇ ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ଗାଇଡ୍‌ଲାଇନ ଆସିବ।
ସେହିପରି ଶୌଚାଳୟ ପାଇଁ ପୂର୍ବରୁ ୧୨ ହଜାର ଟଙ୍କା ଦିଆଯାଉଥିଲା। ଏହି ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ପ୍ରତ୍ୟେକ ଆବାସ ଘରକୁ ମଡେଲ ଗୃହ ଭାବେ ରାଜ୍ୟ ସରକାର ନିର୍ମାଣ କରିବେ। ପିଏମ୍‌ ଆବାସକୁ ପାଣି, ଶୌଚାଳୟ, ବିଜୁଳି ଆଦି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବ ସରକାର ମୋ ଘର ଯୋଜନା କେବଳ ନିର୍ବାଚନ ପାଇଁ ଲାଗୁ କରିଥିଲେ। ଏହି ଯୋଜନାରେ କୌଣସି ଲୋକ ଉପକୃତ ହୋଇ ନାହାନ୍ତି। ଯୋଜନାର କୌଣସି ନିର୍ଦ୍ଦିିଷ୍ଟ ଗାଇଡ୍‌ ଲାଇନ ନାହିଁ। ଏହି ଯୋଜନାରେ ୩ ଲକ୍ଷ ଟଙ୍କାର ଋଣ କରିବା କଥା ଶୁଣିବା ପରେ ଲୋକମାନେ ଚାଲି ଯାଉଛନ୍ତି। ଲୋକଙ୍କର ଏହି ଯୋଜନାରେ ସାମିଲ ହେବା ପାଇଁ ଆଗ୍ରହ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାର ଓଡ଼ିଶା ଅନ୍ତ୍ୟୋଦୟ ଗୃହ ଯୋଜନା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନାରେ ଯେଉଁମାନଙ୍କର ଘର ପ୍ରାକୃତିକ ବିପର୍ଯ୍ୟୟ, ହାତୀ ଆକ୍ରମଣ କିମ୍ବା ଅନ୍ୟାନ୍ୟ କାରଣରୁ ଭାଙ୍ଗିଯାଇଥିବ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ। ଏଥିସହିତ ୫୦୦ ଆଦିବାସୀ ଗାଁର ବିକାଶ ପାଇଁ ମଧ୍ୟ ରାଜ୍ୟ ସରକାର ରୋଡ୍‌ମ୍ୟାପ ପ୍ରସ୍ତୁତ କରୁଛନ୍ତି। ରାଜ୍ୟରେ ପ୍ରାୟ ୬୪ ପ୍ରକାର ଆଦିବାସୀ ସମ୍ପ୍ରଦାୟ ବସବାସ କରୁଛନ୍ତି। ପୂର୍ବ ସରକାର ସେମାନଙ୍କର ବିକାଶ ପାଇଁ ସେପରି କିଛି ଆଖିଦୃଶିଆ କାମ କଲେ ନାହିଁ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମତଳ ଅଞ୍ଚଳ ହିତାଧିକାରୀଙ୍କୁ ୨୫ ବର୍ଗ ମିଟର ପକ୍କାଘର ନିର୍ମାଣ କରିବାକୁ ୧ ଲକ୍ଷ ୨୦ ହଜାର ଟଙ୍କା ଏବଂ ପାର୍ବତ୍ୟାଞ୍ଚଳକୁ ୧ ଲକ୍ଷ ୩୦ ହଜାର ଟଙ୍କା ଯୋଗାଇ ଦିଆଯାଉଛି। ଏଥିସହିତ ଶୌଚାଳୟ ନିର୍ମାଣ ପାଇଁ ୧୨ ହଜାର ଟଙ୍କା ପ୍ରଦାନ କରାଯାଉଛି।

Share