Categories: ଖେଳ

ପ୍ରଗତି ସ୍ପୋର୍ଟିଂ-ରାମେଶ୍ୱର ଯୁଗ୍ମ ବିଜେତା

ଭୁବନେଶ୍ୱର,୩ା୪(ସ୍ପୋଟର୍‌ସ ବ୍ୟୁରୋ) : ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ପଞ୍ଚମ ରାମେଶ୍ୱର କପ୍‌ ତଥା କମଳା ପରିଡ଼ା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି। ପ୍ରବଳ ବର୍ଷା କାରଣରୁ ରାମେଶ୍ୱର ସ୍ପୋର୍ଟିଂ ଓ ପ୍ରଗତି ସ୍ପୋର୍ଟିଂକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାମେଶ୍ୱର ୩୦ ଓଭରରେ ୮ ଉଇକେଟ ହରାଇ ୧୬୬ ରନ୍‌ କରିଥିଲା।

ଶୁଭାଶିଷ ମଲିକ୍‌ ୫୮ ଓ ସ୍ନେହାଶିଷ ଚୌଧାରୀ ୪୨ ରନ୍‌ କରିଥିଲେ। ପ୍ରଗତି ପକ୍ଷରୁ ଅସୀମ ବରାଡ଼ ୨ ଉଇକେଟ ନେଇଥିଲେ। ଜବାବରେ ୧୦ ଓଭର ସୁଦ୍ଧା ପ୍ରଗତି ସ୍ପୋର୍ଟିଂ ୧ ଉଇକେଟରେ ୪୦ ରନ୍‌ କରିଥିବା ବେଳେ ବର୍ଷା କାରଣରୁ ଖେଳ ବନ୍ଦ ରହିଥିଲା। ଆଉ ଖେଳ ସମ୍ଭବ ନ ହେବାରୁ ଅମ୍ପାୟର ଏବଂ ଆୟୋଜକଙ୍କ ପକ୍ଷରୁ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା। ଶୁଭାଶିଷ ମଲିକଙ୍କୁ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।

ଅମନ ଦାସଙ୍କୁ ଶ୍ରେଷ୍ଠ ବ୍ୟାଟର, ଅସୀମ ବରାଡ଼ଙ୍କୁ ଶ୍ରେଷ୍ଠ ବୋଲର ଏବଂ କାର୍ତ୍ତିକ ନାୟକଙ୍କୁ ଶ୍ରେଷ୍ଠ ଫିଲ୍ଡର ଭାବେ ଘୋଷଣା କରାଯାଇଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁରେଶ କୁମାର ରାଉତରାୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ଚନ୍ଦ୍ରଶେଖର ମଲିଆ, ଶିବ ପ୍ରସାଦ ବେହେରା, ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ୍‌ ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା, ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ରଥ, ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ ଚୟନ କମିଟି ମୁଖ୍ୟ ପ୍ରଭଞ୍ଜନ ମଲିକ୍‌ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସୁଶୀଲ ପରିଡ଼ା ଓ ରବୀନ୍ଦ୍ର ନାୟକ ମ୍ୟାଚ୍‌ ପରିଚାଳନା କରିଥିଲେ।

Share