ପ୍ରୟାଗରାଜ,୧୬।୧୧: ଦିନକ ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଜଣେ ବୃଦ୍ଧ। ଏପରି ଦାବି ସହ ସେ ପ୍ରୟାଗରାଜ ପୋଲିସ ଷ୍ଟେଶନ ବାହାରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାରେ ବସିଛନ୍ତି। ରାଜ୍ୟରେ ଅନେକ ବ୍ୟବସ୍ଥାରେ ସୁଧାର ଆଣିବାର ଆବଶ୍ୟକତା ରହିଛି। ଯଦି ସେ ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ସେସବୁକୁ ଦୂର କରିଦେବେ। ସେ ଏଥିପାଇଁ କାର୍ଯ୍ୟକାଳର ରୂପରେଖ ବି ପ୍ରସ୍ତୁତ କରିନେଇଥିବା କହିଛନ୍ତି।
ବଲିଉଡ ଚଳଚ୍ଚିତ୍ର ‘ନାୟକ’ ଭଳି ଅଭିଳାଶା ରଖିଥିବା ବୃଦ୍ଧ ଜଣଙ୍କ ହେଲେ ୬୫ ବର୍ଷୀୟ ପ୍ରକାଶ ଚନ୍ଦ୍ର ଅଗ୍ରଓ୍ବାଲ। ସେ ଫିଲ୍ମର ମୁଖ୍ୟ ଅନିଲ କପୁରଙ୍କ ଚରିତ୍ର ଦେଖି ବେଶ ପ୍ରଭାବିତ ହୋଇଛନ୍ତି। ମଥୁରାରୁ ଅକ୍ଟୋବର ୩ରୁ ସେ ଧାରଣାରେ ବସିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ। ସେଠାରୁ ପ୍ରୟାଗରାଜ ହାଇକୋର୍ଟ ପାଖରେ ଏବଂ ଏବେ ସେ ପୋଲିସ ଷ୍ଟେଶନ ବାହାରେ ଧାରଣାରେ ବସିଛନ୍ତି।