Categories: ଜାତୀୟ

‘ସିଦ୍ଧୁଙ୍କ ନାଁରେ ଆସିଥିବା ଅଭିଯୋଗ ଉପରେ ଗାନ୍ଧୀ ପରିବାର ଚୁପ୍‌ କାହିଁକି’

ନୂଆଦିଲ୍ଲୀ,୧୯।୯: ପଞ୍ଜାବରେ ଚାଲିଥିବା ରାଜନୈତିକ ଲଢେଇ ଶେଷରେ ସମାଧାନ ହୋଇଛି। ସୁଖଜିନ୍ଦର ସିଂ ରାନ୍ଧଓ୍ବାଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପଦବୀକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଭାଜପା ପଞ୍ଜାବ କଂଗ୍ରେସକୁ ଟାର୍ଗେଟ କରିଛି। ଭାଜପା ଏମ୍‌ପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ପୂର୍ବତନ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରକାଶ ଜାଭଡେକର କହିଛନ୍ତି ଯେ, ନବଜୋତ ସିଂ ସିଦ୍ଧୁଙ୍କ ଉପରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଦ୍ୱାରା କରାଯାଇଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ। ସିଦ୍ଧୁଙ୍କ ନାଁରେ ଆସିଥିବା ଅଭିଯୋଗ ଉପରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ କାହିଁକି ଚୁପ ଅଛନ୍ତି? ଗାନ୍ଧୀ ପରିବାର ଆଗକୁ ଆସି ଉତ୍ତର ଦେବା ଉଚିତ୍‌ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ସମୟ ପରେ ସେ ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଅମରିନ୍ଦର ସିଂ କହିଛନ୍ତି, ମୁଁ ପ୍ରଥମ ଦିନରୁ ଏହା କହୁଛି ଯେ, ସେ ପାକିସ୍ତାନରୁ ସାହାଯ୍ୟ ନେଉଛନ୍ତି। ସେ ଜାତୀୟ ବିରୋଧୀ। ସର୍ବପ୍ରଥମେ, ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ଜଣେ ବନ୍ଧୁ, ଏବଂ ସେ ତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଯାଇଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ମୁଁ ତାଙ୍କୁ ନ ଯିବାକୁ ଅନୁରୋଧ କଲି, କିନ୍ତୁ ସେ ତଥାପି ଚାଲିଗଲେ। ସେ ନିଜ ସ୍ବାର୍ଥ ପାଇଁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜୱାଙ୍କୁ ମଧ୍ୟ ଆଲିଙ୍ଗନ କରିଛନ୍ତି ବୋଲି ସେ କହିଥିଲେ।

Share