ପ୍ରମିଳାଙ୍କୁ ଆଉ ଦୁଇ ବିଭାଗ ଦାୟିତ୍ୱ

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଆଉ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଏଣିକି ଶ୍ରମ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦାୟିତ୍ୱ ସମ୍ଭାଳିବେ ପ୍ରମିଳା।

ଶୁକ୍ରବାର ରାଜ୍ୟ ମନ୍ତ୍ରିମଣ୍ଡଳରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ଏହି ଦୁଇ ମନ୍ତ୍ରୀ କିଛି ବିବାଦରେ ଛନ୍ଦି ହୋଇପଡ଼ିଥିଲେ। ସମୀର ଏବଂ ଶ୍ରୀକାନ୍ତଙ୍କୁ ଶୁକ୍ରବାର ସକାଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଉଭୟ ନିଜ ନିଜର ଇସ୍ତଫାପତ୍ର କାଲି ଅପରାହ୍ନରେ ପଠାଇଥିଲେ। ସେହିପରି ବାଚସ୍ପତି ତାଙ୍କ ଇସ୍ତଫାପତ୍ର ଉପବାଚସ୍ପତିଙ୍କ ନିକଟକୁ ପଠାଇଥିଲେ। ବ୍ୟକ୍ତିଗତ କାରଣରୁ ବାଚସ୍ପତି ଇସ୍ତଫା ଦେଇଥିବା କହିଛନ୍ତି। ଅନ୍ୟପକ୍ଷରେ ସାଂଗଠନିକ କାର୍ଯ୍ୟରେ ସମ୍ପୂର୍ଣ୍ଣ ସମୟ ଦେବା ପାଇଁ ଇସ୍ତଫା ଦେଇଥିବା କହିଛନ୍ତି ସମୀର ଏବଂ ଶ୍ରୀକାନ୍ତ।

Share