ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର,୨୧।୯: ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଗୁରୁବାର ବାଚସ୍ପତି ପଦ ପାଇଁ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନପଦ ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରମିଳାଙ୍କ ପ୍ରାର୍ଥିପତ୍ରରେ ନବୀନ ପଟ୍ଟନାୟକ ପ୍ରସ୍ତାବକ ଏବଂ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସମର୍ଥକ ଅଛନ୍ତି। ବିଜେଡି ପକ୍ଷରୁ ବୁଧବାର ବାଚସ୍ପତି ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରାଯାଇଥିଲା। ନାମାଙ୍କନପତ୍ର ଦାଖଲ ପୂର୍ବରୁ ସେ ମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ।
ଆସନ୍ତା ୨୨ ତାରିଖ ସକାଳ ୯ଟାରେ ବିଧାନସଭାରେ ବାଚସ୍ପତି ପଦବୀ ପାଇଁ ନିର୍ବାଚନ ହେବ। ବିଧାନସଭାରେ ଅନ୍ୟ କୌଣସି ଦଳ ବାଚସ୍ପତି ପଦବୀ ପାଇଁ ପ୍ରାର୍ଥୀ ଦେଉ ନ ଥିବାରୁ ଏବଂ ବିଜେଡି ସଂଖ୍ୟାଗରିଷ୍ଠ ଥିବାରୁ ପ୍ରମିଳା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସମ୍ଭାବନା ରହିଛି। ଏଥିସହ ସେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବାର ଗୌରବ ମଧ୍ୟ ଲାଭ କରିବେ। ପାର୍ଲାମେଣ୍ଟରେ ମହିଳା ସଂରକ୍ଷଣ ବିଲ୍‌ ପାରିତ ହୋଇଥିବା ବେଳେ ବିଜେଡି ପ୍ରଥମ ଥର ପାଇଁ ମହିଳା ବାଚସ୍ପତି ପ୍ରାର୍ଥୀ ଘୋଷଣା କରି ମାଷ୍ଟରଷ୍ଟ୍ରୋକ୍‌ ମାରିଛି।
ସୂଚନାଯୋଗ୍ୟ,ଗତ ଜୁନ୍‌ ୩ ତାରିଖରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରଠାରୁ ଉକ୍ତ ପଦବୀ ଖାଲିପଡ଼ିଛି। ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ ଏବେ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଉଛନ୍ତି।

Share